ନୂଆପଡ଼ା -୪/୨(ସୁରେନ୍ଦ୍ର ତିୱାରୀ)ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି କୋମନା ବ୍ଲକ୍ ଉନ୍ନତିମୂଳକ କାର୍ଯ୍ୟ ପରିଦର୍ଶନ କରିବା ଅବସରରେ ରଜନା ଗ୍ରାମ ପଞ୍ଚାୟତର ବେଲଗାଁ ଗ୍ରାମକୁ ଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପରିଚାଳିତ ଛତୁ ଚାଷ କ୍ଲଷ୍ଟର ବୁଲି ଦେଖିଥିଲେ l ୩୮ ଟି ପରିବାର ଏହାର ରକ୍ଷଣାବେକ୍ଷଣ କରିବା ସହିତ ଏହାର ସୁପରିଚାଳନା କରି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଥିବାରୁ ଜିଲ୍ଲାପାଳ ଖୁସୀ ବ୍ୟକ୍ତ କରିଥିଲେ l ଏମାନଙ୍କର ଏହି ପ୍ରୟାସ ଦ୍ବାରା ଅନ୍ୟମାନେ ଅନୁପ୍ରାଣୀତ ହୋଇ ଏହିଭଳି ପ୍ରକଳ୍ପ କରିବା ପାଇଁ ଆଗେଇ ଆସିଲେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ l ଏହାଦ୍ବାରା ଜିଲ୍ଲାର ପ୍ରବାସୀ ଶ୍ରମିକ ପ୍ରଥା ଧୀରେ ଧୀରେ ଲୋପ ପାଇଯିବ ବୋଲି ସେ କହିଥିଲେ l ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ସେମାନଙ୍କ ଗୃହ ପ୍ରସ୍ତୁତ ଛତୁ ତୁନ୍ ( ତରକାରୀ) ଖାଇ ଏହାର ସ୍ୱାଦର ଭୂୟସୀ ପ୍ରଶଂସା କରିଥିଲେ l ଏହି ଚାଷ ସେମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ସହିତ ପରିବାରକୁ ଭିଟାମିନ ଯୁକ୍ତ ପୋଷଣ ଯୋଗାଇଦେବ ବୋଲି ଜିଲ୍ଲାପାଳ କହିଥିଲେ l ଏହାପରେ ଜିଲ୍ଲାପାଳ ଗାଁର ପକ୍ଷାଘାତ ରୋଗୀ ଅଭିରାମ ସଗରିଆକୁ ଭେଟି ତାଙ୍କ ଖଟିଆରେ ବସି ଦୁଃଖସୁଖ ହେଇଥିଲେ l ବିଜୁ ସ୍ଵାସ୍ଥ୍ୟ କାର୍ଡର ଉପଯୋଗ କରି ଉନ୍ନତ ଚିକିତ୍ସା ଲାଭ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ଏହି ଅଚାନକ ପରିଦର୍ଶନରେ ଆସି ଗ୍ରାମବାସୀଙ୍କ ସହିତ ମିଶି ସେମାନଙ୍କ ମନରେଗା କାମ, ଖାଦ୍ୟ, ସ୍ଵାସ୍ଥ୍ୟ, ଶିକ୍ଷା, କୃଷି, ବିଜୁଳି, ରାସ୍ତାଘାଟ ଇତ୍ୟାଦି ସମସ୍ୟା ଉପରେ ଆଲୋଚନା କରିଥିବାରୁ ସେମାନେ ଅତ୍ୟନ୍ତ ଖୁସୀ ବ୍ୟକ୍ତ କରିଥିଲେ l ଏହି ଗସ୍ତ ସମୟରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଭକ୍ତ ଵନ୍ଧୁ ବୁଡ଼େକ୍, ବି ଟି ଏମ୍ ଏଵଂ କୋମନା ବ୍ଲକ୍ ର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ l