ନୂଆପଡ଼ା- ୨୭/୧୧ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲାରେ ଭୋଟର୍ ତାଲିକାର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଗତ କାଲି ନୂଆପଡ଼ା ଆସିଛନ୍ତି l ଏହି ଉପଲକ୍ଷେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନ ସହ ସମ୍ପୃକ୍ତ ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା lଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ l
ଇ.ଆର.ଓ. ତଥା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାରେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅବଗତ କରାଇଥିଲେ l ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୫୦୨୩୭୩ ଜଣ ଭୋଟର୍ ଅଛନ୍ତି l ସେଥି ମଧ୍ୟରୁ ପୁରୁଷ ୨୪୯୫୨୦ ଜଣ, ମହିଳା ୨୫୨୮୧୪ ଜଣ ଏବଂ ତୃତୀୟ ଲିଙ୍ଗୀ ୩୯ ଜଣ ଅଛନ୍ତି l ଜିଲ୍ଲାରେ ୬୦୪ ଟି ମତଦାନ କେନ୍ଦ୍ର ଅଛି l ସମସ୍ତ ସଂଶୋଧନ ପରେ ଚୁଡାନ୍ତ ଭୋଟର୍ ତାଲିକା ଆସନ୍ତା ବର୍ଷ ୬ ଜାନୁଆରୀ ୨୦୨୫ ତାରିଖରେ ପ୍ରକାଶିତ ହେବ l ଏହି ଅବସରରେ ଇଲେକ୍ଟରାଲ ରୋଲ ଅବ୍ଜାର୍ଭର ଶ୍ରୀ ଅଗ୍ରୱାଲ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ପରାମର୍ଶ ଦେବା ସହିତ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହିତ ମତ ବିନିମୟ କରିଥିଲେ l ସଭାରେ ବିଜେପି ଦଳରୁ କମଳେଶ କୁମାର ଦିକ୍ଷୀତ, ଜାତୀୟ କଂଗ୍ରେସ୍ ରୁ ଦେବଦତ୍ତ ଦୀକ୍ଷିତ, ବିଜେଡି ରୁ ରମାକାନ୍ତ ସିଂ କ୍ଷତ୍ରିୟ, ବିଏସପି ରୁ କୁନ୍ତୀ ସାହୁ, ଆପ ରୁ ଲକ୍ଷ୍ମୀ କାନ୍ତ ତାଣ୍ଡି ପ୍ରତିନିଧି ହିସାବରେ ଯୋଗ ଦେଇଥିଲେ l ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଡେପୁଟି କଲେକ୍ଟର ନିର୍ବାଚନ ଶେଖ୍ ନସୀମ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭାରେ ଉପସ୍ଥିତ ଥିଲେ l ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଧନ୍ୟବାଦ ଅର୍ପଣ କରିଥିଲେ l