ନୂଆପଡ଼ା – ୨୪/୧୧ (ସୁରେନ୍ଦ୍ର ତିୱାରୀ) : ଆଜି ରବିବାର ଛୁିଟିଦିନରେ ମଧ୍ୟ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପଞ୍ଚାୟତ ଓ ଗ୍ରାମାଞ୍ଚଳ ଗସ୍ତ କରି ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମବାସୀଙ୍କ ସହିତ ସିଧାସଳଖ ମିଶି ଦୁଃଖ ସୁଖ ବାଣ୍ଟିଛନ୍ତି l ନୂଆପଡ଼ା ସଦର ମହକୁମାରେ ଠାରୁ ଅତି ନିକଟତର ସିଲଦା ଓ ଡୁମେରପାନି ବିଦ୍ୟାଳୟ କୁ ଯାଇ ସେଠାରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ନୂତନ ମତଦାତା ପଞ୍ଜିକରଣ , ଭୋଟର୍ ତାଲିକାରେ ସଂଶୋଧନ , ଫର୍ମ ନ ୬,୭ ଓ ୮ ର କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ l ଏହାପରେ ସାଲିହା ଗାଁ ରେ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବନ୍ଧ ଖନନ ପ୍ରକଳ୍ପ ପରିଦର୍ଶନ କରି ଶ୍ରମିକ ମାନଙ୍କୁ ଭେଟି ଥିଲେ l ନିଜ ଗ୍ରାମ ତଥା ଅଞ୍ଚଳରେ ପର୍ଯ୍ୟାପ୍ତ ସରକାରି ଶ୍ରମ ଭିତ୍ତିକ କାମ ମିଳୁଥିବାରୁ ସମସ୍ତେ ଏହାର ସୁଯୋଗ ନେଇ କାମ କରିବାକୁ ଏବଂ ପ୍ରବାସୀ ଶ୍ରମିକ ହିସାବରେ ବାହାର ରାଜ୍ୟକୁ ନ ଯିବା ପାଇଁ କହିଥିଲେ l ସେମାନଙ୍କ ଉନ୍ନତି ଓ ଜୀବନ ଜୀବିକା ପାଇଁ ସରକାରଙ୍କ ଥିବା ବିଭିନ୍ନ ଯୋଜନା ସମ୍ୱନ୍ଧରେ ବୁଝାଇଥିଲେ l ଏହାପରେ ସାଲିହା ଗାଁକୁ ଯାଇ ସେଠାରେ ସଭା କରି ଗ୍ରାମବାସୀ ମାନଙ୍କ ସୁଖ ଦୁଃଖ କଥା ପଚାରି ବୁଝିଥିଲେ l ଶିକ୍ଷା, ସ୍ୱାସ୍ଥ୍ୟ,ପିଇବା ପାଣି, ବିଦ୍ୟୁତ, କର୍ମ ଯୋଗାଣ, ସୁଭଦ୍ରା ଯୋଜନା, ପ୍ରଧାମନ୍ତ୍ରୀ ଆବାସ ଯୋଜନା ବିଷୟରେ ସିଧାସଳଖ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ସବୁ ଶୀଘ୍ର ନିର୍ମାଣ କରିବା ପାଇଁ କହିଥିଲେ l ଜିଲ୍ଲାପାଳଙ୍କ ଆତ୍ମୀୟତାରେ ଗ୍ରାମବାସୀ ତଥା ଶ୍ରମିକ ମାନେ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ l ଏହି ଗସ୍ତ ସମୟରେ ନୂଆପଡା ବିଡିଓ ରୋହିତ ଭୋଇ ଏଵଂ ବ୍ଲକ୍ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଛୁଟି ଦିନରେ ମଧ୍ୟ ସରକାରି ଗସ୍ତ କରି ଗ୍ରାମବାସୀ ସହିତ ମିଶିବା ଓ ସେମାନଙ୍କ ସୁବିଧା ଅସୁବିଧା ବୁଝି ତାହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି l