ଅନ୍ନଦାତାମାନେ ପରିଶ୍ରମର ଉଚିତ ମୂଲ୍ୟ ନିଶ୍ଚିତ ପାଇବେ କାରଣ ଏଇ ସରକାର କୃଷକମାନଙ୍କ ସରକାର : ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ।
ନୂଆପଡ଼ା- ୧୯/୧୧ (ସୁରେନ୍ଦ୍ର ତିୱାରୀ) : ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ଧାନ ସଂଗ୍ରହ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ କାର୍ଯ୍ୟ ସମୀକ୍ଷା କରିଥିଲେ l ଏଥିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ, ଖରୀଆର ରୋଡ ଏନ.ଏ.ସି. ଅଧ୍ୟକ୍ଷା ଡଃ ସୋନିଆ ଜୈନ୍ ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶ ଅତିଥି ମାନଙ୍କୁ ସଂଵୋଧନ କରି ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତ ରାୟ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ କାର୍ଯ୍ୟ ତଥା ଧାନ ସଂଗ୍ରହ ପ୍ରସ୍ତୁତି ଉପରେ ବିଭାଗର ତଥ୍ଯ ପ୍ରଦାନ କରିଥିଲେ l ଏବେ ଜିଲ୍ଲାରେ ୧୭୫୩୦୫ ପରିବାର ର ୫୭୬୪୮୪ ଜଣ ବ୍ୟକ୍ତିଙ୍କୁ ରାସନ୍ କାର୍ଡ ମାଧ୍ୟମରେ ୧୪୧ ଟି କେନ୍ଦ୍ର ରେ ଖାଦ୍ୟଶସ୍ୟ ବଣ୍ଟନ କରାଯାଉଛି l ଜିଲ୍ଲାର ୭୫ ପ୍ରତିଶତ କାର୍ଡ ଧାରି ମାନଙ୍କ ଇ କେୱାଇସି ସମ୍ପୂର୍ଣ ହୋଇଛି l ଜିଲ୍ଲାରେ ୨୦୨୪/୨୫ ବର୍ଷ ପାଇଁ ଖରିଫ୍ ଋତୁରେ ସୁବ୍ୟବସ୍ଥିତ ହିସାବରେ ଧାନ ସଂଗ୍ରହ ପାଇଁ ସରକାରଙ୍କ ଦ୍ବାରା ୭୭ ଟି ଧାନ କ୍ରୟ କେନ୍ଦ୍ର ରେ ୧୭୮୭୬୯୧ କୁଇଣ୍ଟାଲ ଧାନ କିଣିବା ଲକ୍ଷ୍ୟ ରଖାଯାଇଛି l ଜିଲ୍ଲାରେ ଏବର୍ଷ ମୋଟ ୩୧ ଟି ମିଲ୍ ଧାନ ସଂଗ୍ରହ କରିବେ l ସେଥିରୁ ୧୭ ଟି ଉଷୁନା ଚାଉଳ ମିଲ ଏଵଂ ୧୪ ଟି ଅରୁଆ ଚାଉଳ ମିଲ ଅଛି l ମୋଟ ୪୬୩୪୬ ଜଣ କୃଷକ ଜିଲ୍ଲାରେ ଧାନ ବିକ୍ରି ପାଇଁ ନାମ ପଞ୍ଜୀକୃତ କରିଛନ୍ତି l ସେମାନଙ୍କ ପ୍ରଦତ୍ତ ପ୍ଲଟ ର ୯୭ ପ୍ରତିଶତ ଉପଗ୍ରହ ମାଧ୍ୟମରେ ତଦାରଖ ହେଇଛି l ମନ୍ତ୍ରୀ କହିଲେ ଜିଲ୍ଲାରେ ୨୨ ନଭେମ୍ବର ରୁ ଧାନ କ୍ରୟ ଆରମ୍ଭ ହୋଇଯାଉଥିବାରୁ ସମସ୍ତ ମିଲର୍ ଅତିଶିଘ୍ର ଜିଲ୍ଲା ପ୍ରଶାସନ ସହିତ ଏଗ୍ରିମେଣ୍ଟ କରନ୍ତୁ l କୌଣସି ପରିସ୍ଥିତିରେ ଚାଷୀ ତାର ଧାନ ବିକିବାରେ ସମସ୍ୟା ଯେମିତି ନ ହୁଏ ଏହାକୁ ଅଧିକାରୀ ମାନେ ସୁନିଶ୍ଚିତ କରିବେ l ମଣ୍ଡିରେ ଦଲାଲ ରାଜକୁ ଦୃଢ଼ ହସ୍ତରେ ଦମନ କରାଯିବ l ଅନ୍ୟାୟ ଭାବେ ଧାନର କଟନି ଛଟନି ମୋଟେ ହେବ ନାହିଁ l ମିଲରେ ଚାଉଳର ରି ସାଇକ୍ଲିଂ ହେବନାହିଁ l ଏବର୍ଷ କୁଇଣ୍ଟାଲ ପ୍ରତି ସାଧାରଣ ଧାନ ସହାୟକ ମୁଲ୍ୟ ୨୩୦୦ ଟଙ୍କା ଏବଂ ଗ୍ରେଡ୍ ଏ ଧାନ ୨୩୨୦ ଟଙ୍କା ଉପରେ ରାଜ୍ୟ ସରକାର ୮୦୦ ଟଙ୍କା ବୋନସ୍ ଦେବେ l ଏହି ବୋନସ ୮ ଡିସେମ୍ବର ୨୦୨୪ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଥମେ ପ୍ରଦାନ ହେବ l
ଜିଲ୍ଲାପାଳ କହିଲେ ମଣ୍ଡିରେ ମିଲର୍ ଏଜେଣ୍ଟ ମାନଙ୍କୁ ପ୍ରଶାସନ ଚିହ୍ନଟ କାର୍ଡ ପ୍ରଦାନ କରିବେ l କେହି ଦଲାଲି କରୁଥିବା ସୂଚନା ମିଳିଲେ ତୁରନ୍ତ ଗିରଫ କରାଯିବ l ଉଭୟ ବିଧାୟକ କୌଣସି ପରିସ୍ଥିତିରେ କୃଷକ ମାନେ ଯେପରି ଅଭାବୀ ଧାନ ବିକ୍ରିର ଶିକାର ନ ହୁଅନ୍ତି ସେଥିପ୍ରତି ତୀକ୍ଷ୍ଣ ନଜର ରଖିବାକୁ ପ୍ରଶାସନ କୁ ଚେତାଇ ଦେଇଥିଲେ l ମନ୍ତ୍ରୀ ମହୋଦୟ କହିଲେ ଯେଭଳି କୌଣସି ଯୋଗ୍ୟ ପରିବାର ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ପ୍ରଶାସନ ଦେଖିବ l ଏଇ ସରକାର କୃଷକ ମାନଙ୍କ ସରକାର ହୋଇଥିବାରୁ କୌଣସି ପରିସ୍ଥିତିରେ ଅନ୍ନଦାତା ମାନେ ହଇରାଣ ହେବେ ନାହିଁ ଏବଂ ସେମାନଙ୍କ ପରିଶ୍ରମ ର ଉଚିତ୍ ମୂଲ୍ୟ ନିଶ୍ଚିତ ଭାବରେ ପାଇବେ l
l ଆଜିର ଏହି ବୈଠକରେ ସମବାୟ ବିଭାଗ ଯୁଗ୍ମ ସଚିବ ସଂଗ୍ରାମ କେଶରୀ ରାଉତ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ , ଡି.ଆର.ସି.ଏସ. ଶିବ ପ୍ରସାଦ ସ୍ବାଇଁ, ଆର.ଏମ.ସି. ସମ୍ପାଦକ ଆର୍ୟ୍ଯ ମୁଦୁଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ , ଯୋଗାଣ ବିଭାଗ, ସମବାୟ ବିଭାଗ, ଓଜନ ମାପ ବିଭାଗ ଅଧିକାରୀ ଯୋଗ ଦେଇଥିଲେ l ଶେଷରେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l