ନୂଆପଡ଼ା- ୫/୧୧ ( ସୁରେନ୍ଦ୍ର ତିୱାରୀ ) : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଂସଦ ମାଳବିକା ଦେବୀଙ୍କ ଦ୍ଵାରା ବହୁ ପ୍ରତିକ୍ଷିତ ପୁରୁଣା ଦାବୀ ନୂତନ ସିଟି ସ୍କାନ ଯନ୍ତ୍ର ଉଦ୍ଘାଟିତ ହୋଇଯାଇଅଛି l ଏହି ବର୍ଣ୍ଣାଢ଼୍ୟ ସମାରୋହରେ ନୂଆପଡ଼ା ଲୋକ ପ୍ରିୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖରୀଆର ଲୋକ ପ୍ରିୟ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଲୋକ ପ୍ରିୟ ଜିଲ୍ଲାପାଳ ମଧୁସୂଦନ ଦାଶ ଏଵଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଏହାପରେ ସାଂସଦ ଏଠାକାର ସଭାଗୃହରେ ରୋଗୀ କଲ୍ୟାଣ ସମିତିର ଛଅ ମାସିକ ବୈଠକରେ ଯୋଗଦାନ କରିଥିଲେ l ଏଥିରେ କମିଟି ସଦସ୍ୟ ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ, ଖରୀଆର ବିଧାୟକ ଶ୍ରୀ ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ ଉପାଧ୍ୟକ୍ଷ ଜିଲ୍ଲାପାଳ ଶ୍ରୀ ଦାଶ , ଆବାହକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧରଣୀଧର ସେନାପତି, ମେଡିକାଲ୍ ସୂପରୀଟେଣ୍ଡେଣ୍ଟ ପ୍ରମୁଖ ଯୋଗଦେଇଥିଲେ l ସିଡିଏମଓ ସ୍ବାଗତ ସମ୍ଭାଷଣ ଦେଲା ପରେ ଡିପିଏମଓ ଦିଲ୍ଲୀପ ଦୁବେ ବିଗତ ବର୍ଷର ଆୟବ୍ୟୟର ହିସାବ ଏଵଂ ଆସନ୍ତା ବର୍ଷର ବଜେଟ୍ ଉପସ୍ଥାପନ କରିବା ସହିତ ମୁଖ୍ୟ ଚିକିତ୍ସାଳୟର ସମସ୍ତ ସୁବିଧା ସୁଯୋଗ ଓ ଅସୁବିଧା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ l ଏବେ ଏଠାରେ ୪୦ ଜଣ ଡାକ୍ତର ୯୪ ଟି ପୋଷ୍ଟ ଖାଲି,୬୮ ଜଣ ଷ୍ଟାଫ୍ ନର୍ସ ୨୪ ଟି ଖାଲି, ୮ ଜଣ ଫାର୍ମାସିଷ୍ଟ ୭ ଟି ଖାଲି ଏଵଂ ୪ ଜଣ ରେଡ଼ିଓ
ଗ୍ରାଫର ଅଛନ୍ତି l ଗତ ବର୍ଷ ଏଠାରେ ୧୦୧୮୨୬ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଏବର୍ଷ ଏପ୍ରିଲ୍ ରୁ ଏପର୍ଯ୍ୟନ୍ତ ୫୫୩୭୨ ଜଣ ରୋଗୀ ଚିକିତ୍ସା ଲାଭ କରିଛନ୍ତି l ସିମିତ କର୍ମଚାରୀ ସତ୍ତ୍ୱେ ଜନସାଧାରଣଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇଦେବାକୁ ଜିଲ୍ଲାପାଳ ଡାକ୍ତର ଓ କର୍ମଚାରୀଙ୍କୁ ଆହ୍ବାନ କରିଛନ୍ତି l