ନୂଆପଡା-୭/୬ : ଆଜି ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ, ନୂଆପଡ଼ା ର ଜିଲ୍ଲା ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଚାଷୀ ଓ ସାଧାରଣ ଜନତା ଙ୍କ ତରଫରୁ ଏକ ପ୍ରତିନିଧି ଦଳ ଟି.ପି.ଡବ୍ଲୁ.ଓ.ଡି.ଏଲ. (TPWODL) ର ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ସବ୍ୟସାଚୀ ମିଶ୍ର ଙ୍କ ସହିତ ନୂଆପଡା ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ନନ୍ଦ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଲୋଚନା ରେ ସାମିଲ ହୋଇଥିଲେ। ଗତ ୨୦ ଏପ୍ରିଲ ୨୦୨୩ ରେ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ହଜାରେ ରୁ ଉର୍ଦ୍ଧ୍ବ ଚାଷୀ ଟାଟା କମ୍ପାନୀ ଅଧିନସ୍ଥ ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲ. କମ୍ପାନୀ ର ଶୋଷଣ ଓ ଜୁଳୁମ ବିରୁଦ୍ଧରେ ଆବାଜ ଉଠାଇ ଥିଲେ।ସେହିଦିନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନନ୍ଦ ଚାଷୀ ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଅଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି ଆଲୋଚନା ରେ ବିଭାଗୀୟ ଦୁଇଟି ଏସ ଡି ଓ ଅବିନାଶ ବିଶ୍ୱାଳ ଓ ପ୍ରଦୀପ୍ତ କୁମାର ଖିଲାର, କୋମନା ସରପଞ୍ଚ ସଂଘ ସଭାପତି ମୃତ୍ୟଞ୍ଜୟ ପାଣିଗ୍ରାହୀ,ବେଳଟୁକରି ସରପଞ୍ଚ ଚନ୍ଦ୍ରଶେଖର ଚନ୍ଦ୍ରକାର, ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ,ରଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇ, ଚାଷୀ ନେତା ରତନ ଚନ୍ଦ୍ରକାର, ଗୋକୁଳ ନାଏକ,ସନ୍ତୋଷ ଚନ୍ଦ୍ରକାର, ଲେଖରାମ ଚନ୍ଦ୍ରକାର, ରାଜୁ ଚନ୍ଦ୍ରକାର, ନେମୀ ଚନ୍ଦ୍ରକାର, ବିଜୟ ସାହୁ,ପୁନମ ଚନ୍ଦ୍ରକାର ପ୍ରମୁଖ ଚର୍ଚ୍ଚା ଆଲୋଚନା ରେ ସାମିଲ ହୋଇଥିଲେ।
ସାଧାରଣ ଉପଭୋକ୍ତା କେମିତି ଟାଟା କମ୍ପାନୀ ର ଶୋଷଣ ଓ ଜୁଲୁମ ର ଶିକାର ହେଉଛନ୍ତି ସେ ବିଷୟ ନେଇ ସମସ୍ତେ ବିସ୍ତୃତ ଚର୍ଚ୍ଚା କରିଥିଲେ।ଟାଟା କମ୍ପାନୀ ବିରୁଦ୍ଧରେ ପରିଷଦ ପକ୍ଷରୁ ଗତ ୨୦ ଏପ୍ରିଲ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ସରକାର ଓ ଟାଟା କମ୍ପାନୀ ବିରୁଦ୍ଧରେ ମହାମହିମ ରାଜ୍ୟପାଳ ଙ୍କୁ ୧୪ ଦଫା ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଜାନୁଆରୀ ୨୦୨୧ ପର ଠାରୁ ଟାଟା କମ୍ପାନୀ ୱେସ୍କୋ ବିଦ୍ୟୁତ୍କମ୍ପାନୀ କୁ ନେଲା ପରେ,ସରକାରୀ ନିୟନ୍ତ୍ରଣ ରୁ ମୁକ୍ତ ହେଲା ପରେ ବିଦ୍ୟୁତ ଉପଭୋକ୍ତା ଙ୍କ ଦୁଃଖ, ଦୁର୍ଦ୍ଦଶା, ହଇରାଣ ଓ ଶୋଷଣ ର ଅନ୍ତ ହୀନ କାହାଣୀ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।ଟାଟା କମ୍ପାନୀ ର ଅତ୍ୟଧିକ ଲାଭଖୋର ମନୋବୃତ୍ତି ପାଇଁ ଉପଭୋକ୍ତା ନିର୍ଯ୍ୟାତିତ,ଅପମାନିତ,ଜବରଦସ୍ତି ଜୁଲୁମ, ଓ ଶୋଷଣ ର ଶିକାର ହେଉଛନ୍ତି।ବିନା ବିଦ୍ୟୁତ ସଂଯୋଗରେ ବିଲ ଆସିବା, ଆଜି ତାରିଖରେ ପିଛିଲା ତିନି ଚାରି ବର୍ଷ ର ବକେୟା ବିଲ ପଠେଇ ଆଦାୟ କରିବା,ମିଟର ଓ କେବୁଲ ନାମରେ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଗଭୀର ନଳକୂପ ଚାଷୀ ଙ୍କ ଠାରୁ ୧୭ ହଜାର ଟଙ୍କା ଜବରଦସ୍ତି ଆଦାୟ କରିବା,ସାଧାରଣ ଉପଭୋକ୍ତା ଙ୍କୁ ଚଢା ବିଲ ପଠେଇ ଜବରଦସ୍ତି ବିଲ ଆଦାୟ,ବିଭାଗ ତରଫରୁ ବିଲ ଦିଆ ନଯାଇ ସ୍କ୍ୱାଡ ଦ୍ୱାରା ଚଢ଼ାଉ କରି ଅନାଧିକୃତ ବିଦ୍ୟୁତ ସଂଯୋଗ କହି, ଜବରଦସ୍ତି ଜୋରିମାନା ଆଦାୟ କରିବା ଇତ୍ୟାଦି ଅନେକ ଅଭିଯୋଗ ଓ ଦାବୀ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସମ୍ମୁଖରେ ଶ୍ରୀ ପାଣିଗ୍ରାହୀ ଉପସ୍ଥାପନ କରି ଆଶୁ ସମାଧାନ ପାଇଁ ଦାବି କରିଥିଲେ।
ଯେତେ ଦାବି କି ଆଲୋଚନା କଲେ ମଧ୍ୟ ସମସ୍ୟା ର ସମାଧାନ ତ ଦୂର କଥା କର୍ଣ୍ଣପାତ କରିବାକୁ କେହିନାହାନ୍ତି।ଟାଟା କମ୍ପାନୀକୁ ରାଜ୍ୟ ସରକାର ଙ୍କ ଏ ଅହେତୁକ ଅନୁକମ୍ପା କାହିଁକି ? ବିଦ୍ୟୁତ ଉପଭୋକ୍ତା ଟାଟା କମ୍ପାନୀ ଦ୍ୱାରା ଏତେ ମାତ୍ର ରେ ଶୋଷଣ ଓ ଜୁଲୁମ ର ଶିକାର ହେଲେ ମଧ୍ୟ ରାଜ୍ୟ ସରକାର ଚୁପ କାହିଁକି ?ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ଥାଇ ମାତ୍ର୧୫୦ କୋଟି ଟଙ୍କାରେ ଟାଟା କମ୍ପାନୀ କୁ ୱେସ୍କୋ କୁ ଟେକିଦେବା ପଛରେ ରହସ୍ୟ କଣ ଅଛି ? କାହା ସ୍ଵାର୍ଥ ରେ ଏମିତି ବିକ୍ରୀ କରାଗଲା ? ଏମିତି ନାନା ସମସ୍ୟା ଓ ପ୍ରଶ୍ନକୁ ନେଇ ଆଜି ଅଲୋଚନକାରୀ ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଘେରି ଥିଲେ।
ସରକାର ଟାଟା କମ୍ପାନୀ ଉପରେ ଲଗାମ ଲଗାନ୍ତୁ,କିମ୍ବା ଟାଟା କମ୍ପାନୀ ଶୋଷଣ ଜୁଳୁମ ବନ୍ଦ କରୁ କିମ୍ବା ଟାଟା କମ୍ପାନୀ ନୂଆପଡା ଛାଡୁ ବୋଲି ଶ୍ରୀ ପଣିଗ୍ରାହୀ ଆଲୋଚନା ରେ ମନ୍ତବ୍ୟ ପ୍ରକାଶ କରିଥିଲେ। ନଚେତ ଆମେ ଜିଲ୍ଲାର ଲକ୍ଷାଧିକ ବିଦ୍ୟୁତ ଉପଭୋକ୍ତା ଟାଟା କମ୍ପାନୀ କୁ ବହିଷ୍କାର କରିବୁ,କମ୍ପାନୀ ଲୋକଙ୍କୁ ଗାଁ ଗାଁ ରେ ପୁରେଇ ଦେବୁ ନାହିଁ,ଦରକାର ପଡ଼ିଲେ ବିଦ୍ୟୁତ ବିଭାଗର ସମସ୍ତ କାର୍ଯ୍ୟାଳୟ ରେ ତାଲା ମାରି ଅଚଳ କରାଯିବ ବୋଲି ଆଲୋଚନାକରି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି ।ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମିଶ୍ର ଆମ ସ୍ତରରେ ଯାହାବି ସମାଧାନ ହୋଇପାରିବ ଆମେ କରି ଦେବୁ ବୋଲି ପ୍ରତିଶ୍ରୃତି ଦେଇଥିଲେ।କିନ୍ତୁ ଅଧିକାଂଶ ସମସ୍ୟା ଓ ଦାବୀ ରାଜ୍ୟ ସରକାର ର ରେଗୁଲେଟୋରି ବୋଡ଼ ଓ ଟାଟା କମ୍ପାନୀର ଶୀର୍ଷ ଲେବୁଲ ରେ ହିଁ ସମାଧାନ ହୋଇପାରିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରି ତାଙ୍କ ଅସହାୟତା ପ୍ରକାଶ କରିଥିଲେ।ସରକାର ଓ ଟାଟା କମ୍ପାନୀ ଯଦି ଚାଷୀ ମାନଙ୍କ ଦୁଃଖ ଓ ଦରଦ କୁ ବିଚାର ନ କରିବେ ତେବେ ଆଗାମୀ ଦିନରେ ଆହୁରୀ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।