ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ପତୋର ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପରେ ମାସେ ହେବ ରବି ଚାଷ ପାଣି ଆବଣ୍ଟନକୁ ନେଇ ବିବାଦ ଦେଖା ଦେଇଛି । ବିବାଦ ସମାଧାନ ପାଇଁ ଅନେକ ପ୍ରୟାସ କରିଥିଲେ ହେଁ ଚାଷୀଙ୍କ ମନମୁତାବକ ଫଇସଲା ନ ହେବା ରୁ ଵର୍ତମାନ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ରେ ପରିଣତ ହୋଇଛି। ଗତ କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାଇଁସମୁଣ୍ଡି ଗାଁ ଠାରୁ ପତୋରା ପର୍ଯ୍ୟନ୍ତ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରି ୧୦ ଟି ହେଡ଼ ରେଗୁଲେଟୋରକୁ ୱେଲଡିଂ କରି ସିଲ୍ କରିଥିଲା । ପାଣି ପଞ୍ଚାୟତ ୧ ରୁ ୫ ପର୍ଯ୍ୟନ୍ତ ଅଞ୍ଚଳରେ ୧୪୪ ଜାରି କରିଥିଲା । ଗତ କାଲି ବିଳମ୍ବିତ ରାତ୍ରୀରେ ସାରାବଂଗ ଗାଁର ଦୁଇ ଚାଷୀ ନେତା ପ୍ରକାଶ ଦୀକ୍ଷିତ ଓ କମଲେଶ୍ ଦୀକ୍ଷିତ ସଦର ପୁଲିସ୍ ଉଠାଇ ନେଇଥିଲା ।
ଆଜି ସକାଳେ ସଦର ଥାନା ସବ୍ ଇନ୍ସପେକ୍ଟର ବିନୟ କେରକେଟାଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ସାରାବଙ୍ଗ ଗାଁରେ ପେଟୋଲିଂ କରୁଥିବା ବେଳେ ଚାଷୀ ମାନେ ଘେରି ଯାଇଥିଲେ । ପୁଲିସ୍ ଓ ଚାଷୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଚାଷୀ ନେତାଙ୍କୁ ଛାଡ଼ିବା ଦାବିରେ ଜଣେ ପୁଲିସ୍ ଅଧିକାରୀ ଓ ୫ ଜଣ ପୁଲିସ୍ କନେଷ୍ଟବଳଙ୍କୁ ମନ୍ଦିର ଭିତରେ ପୁରାଇ ତାଲା ମାରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଅତିରିକ୍ତ ଏସପି ସୁନିଲ ଆଚାର୍ଯ୍ୟ ଓ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଙ୍କ ନେତୃତ୍ବରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ସଦ୍ୟ ସୂଚନା ଅନୁସାରେ ପୋଲିସ ଦୁଇ ଚାଷୀ ନେତାଙ୍କୁ ଛାଡି ଦେଲାଣି ଓ ଗାଁ ଲୋକେ ମଧ୍ୟ ଅଟକ ରଖି ଥିବା ପୋଲିସଙ୍କୁ ଛାଡି ଦେଇଛନ୍ତି। ବର୍ତ୍ତମାନ ଖବର ଲେଖା ହେବା ଯାଏଁ ହଜାର ହଜାର ଚାଷୀ ଡେମ ତଳ ମୁଖ୍ୟ କେନାଲରେ ବସି ବିରୋଧ ପ୍ରଦର୍ଶନ ଅବ୍ୟାହତ ରଖିଛନ୍ତି।