ନୂଆପଡା -୯/୮(ସୁରେନ୍ଦ୍ର ତିୱାରୀ) : କୋମନା ବ୍ଲକ୍ ରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସିଲଭା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଳା ଆଇନ ସେବା ପ୍ରାଧୀକରଣ ସଚିବ ନବନୀତା ଦାଶ, ଜେ ଏମ୍ ଏଫ୍ ସି ବର୍ଷା ମହାନ୍ତି, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଭାର ପ୍ରାପ୍ତ କୋମନା ବିଡ଼ିଓ ଭକ୍ତବନ୍ଧୁ ବୁଡେକ୍, ତହସିଲଦାର ସୋନିଆ ଶ୍ରୀ ମଲ୍ଲିକ, ସ୍ଥାନୀୟ ସରପଞ୍ଚ କାଞ୍ଚନପ୍ରଭା ରଣା, ସମିତି ସଭ୍ୟା ମମତା ଦଣ୍ଡସେନା, ପ୍ରମୁଖ ଯୋଗ ଦେଇଥିଲେ l ଏହି ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ସମାରୋହରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା କନିସ୍କା ଶବରକୁ କୋଳରେ ଧରି ତା ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହା ସହିତ ଶିଶୁ କନ୍ୟା ଗାୟତ୍ରୀ ଶବର ଓ ଦିୟା ଶବରଙ୍କ ଅନ୍ନ ପ୍ରାଶନ୍ନ କରିଥିଲେ l ସେମାନଙ୍କ ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ରୋପଣ ପାଇଁ ପ୍ରଦାନ କରି ଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l
ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ସିଲଭା ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହାପରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ଯା ଦୂର କରିବା ପାଇଁ ଏକ ସଚେତନତା ଶିବିର
ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥିମାନେ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରବାସୀ ଶ୍ରମିକ ପ୍ରଥା ର ଅପକାରୀତା ଓ ଏହାକୁ କିଭଳି ଭାବେ ନିରାକରଣ କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ l ଏହା ସହିତ ନୂଆପଡ଼ା ଥରେମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଏସବୁର ବ୍ୟବହାର ନ କରିବାକୁ ସମସ୍ତଙ୍କୁ ପ୍ରବର୍ତ୍ତାଇଥିଲେ l ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ନିଜ ନିଜ ବିଭାଗର ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ l ଶିବିରରେ ମନରେଗା ଯୋଜନାରେ ତିନି ଶହ ଦିନ କାମ କରିଥିବା ଶ୍ରମିକ ମାନଙ୍କୁ ସମ୍ମାନିତ କରାଯାଇଥିଲାl କୁରୁମପୁରୀର ଛଅ ଜଣ ଗ୍ରାମବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପଟ୍ଟା ଏବଂ ସୁକୁଲି ମୁଣ୍ଡି ଗ୍ରାମବାସୀଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରାଯାଇ ଥିଲା l
ଏହାପରେ ବନ ବିଭାଗ ପକ୍ଷରୁ ଆୟୋଜିତ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ପକ୍ଷୀ ମାନଙ୍କ ପାଇଁ ବସା ଓ ମାଟି ନିର୍ମିତ ପାଣି ଏବଂ ଖାଦ୍ୟ ପାତ୍ର ଗଛ ମାନଙ୍କୁ ଝୁଲାଇ ଦିଆ ଯାଇଥିଲା l ଶେଷରେ ଅତିଥିମାନେ , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଉପସ୍ଥିତ ଗଣ ମାଧ୍ୟମ ପ୍ରତିନିଧି ଏକ ସାମୁହିକ ସଫେଇ ଅଭିଯାନ ରେ ଅଂଶଗ୍ରହଣ କରିଥିଲେ l
ଏହି ଶିବିରକୁ କୋମନା ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, କୋମନା ସିଡିପିଓ , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ଯା, ବନ ବିଭାଗ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।