ନୂଆପଡ଼ା- ୨୦/୫ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ାରେ ଜିଲ୍ଲାରେ ଜିଲ୍ଲା ପରିବେଶ ନିରୀକ୍ଷଣ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀର ଶାଖାର ଆଂଚଳିକ ଅଧିକାରୀ ପରିବେଶ ଯନ୍ତ୍ରୀ ବବିତା ସିଂଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସଭାରେ ବନଖଣ୍ଡ ଅଧିକାରୀ, ଖଡିଆଳ ଅଜିଜ ଖାନ୍, ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ ମହାଦେବ ବଡ଼ୈକ, ଡେପୁଟି ଡାଇରେକ୍ଟର ମାଇନସ୍ ବିଶ୍ଵନାଥ ସୋରେନ, ମାଇନିଂ ଅଫିସର ଜୟନ୍ତ ଗର୍ଡ଼ିଆ ପ୍ରମୂଖ ଯୋଗ ଦେଇଥିଲେ l ସମସ୍ତଙ୍କୁ ସ୍ୱାଗତ କରି ଶ୍ରୀମତୀ ସିଂ କହିଲେ ଯେ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ମାଟି ପାଣି ପବନ ପରିବେଶ ଇତ୍ୟାଦି ସମସ୍ତ ପ୍ରଦୂଷଣ ଉପରେ ଚର୍ଚ୍ଚା କରି ତାର ସମାଧାନର ରାସ୍ତା ବାହାର କରିବା l ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ସମସ୍ତ ବିଭାଗର ସାହାଯ୍ଯ ଲୋଡିଥିଲେ l ଆଲୋଚନାରୁ ଜଣାଗଲା ଯେ ନୂଆପଡ଼ା ଜିଲ୍ଲା ରେ ପାରା ବୋଏଲଡ୍ ରାଇସ୍ ମିଲ୍ ୨୩ ଟି, ର ରାଇସ୍ ମିଲ୍ ୧୪ ଟି, ଦେଶୀ ମଦ ନିର୍ମାଣ କୋଠି ୨୧ ଟି, କୁକୁଡା ଫାର୍ମ ୧୮ ଟି, କ୍ରସର୍ ୪୬ ଟି, କଟନ ଜିନିଙ୍ଗ ମିଲ୍ ୨ ଟି, ବାଲି ଖଣି ୨୮ ଟି, ପଥର ଖଣି ୪୨ ଟି, ଗ୍ରାଫାଇଟ୍ ଖଣି ୨ ଟି ଏବଂ ଅନ୍ୟାନ୍ୟ କଳକାରଖାନା ୧୮ ଟି ଅଛି l ଏଥିରୁ ହେଉଥିବା ପ୍ରଦୂଷଣ ଉପରେ ତୀକ୍ଷ୍ଣ ନଜର ରଖି ସମାଧାନର ରାସ୍ତା ବାହାର କରିବା ପାଇଁ ଜିଲ୍ଲାପାଳ କହିଥିଲେ l ଜିଲ୍ଲାରେ ଚିମିନି ନଥିବା ବେଆଇନ ମାଟି ଇଟା ଭାଟି ସବୁ ତୁରନ୍ତ ବନ୍ଦ କରିବା ପାଇଁ ରାଜସ୍ୱ, ଜଙ୍ଗଲ, ମାଇନିଂ, ପୋଲିସ ବିଭାଗ ମିଳିତ ପଦକ୍ଷେପ ନେବେ l ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କୁ ପ୍ଲାଷ୍ଟିକ ଜରି ବ୍ୟବହାର ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯିବ l ବିଗତ ଦିନ ମାନଙ୍କରେ ଖରିଆର ରୋଡ଼ ଏନ୍ ଏ ସି ରୁ ୨.୧୫ ଲକ୍ଷ ଟଙ୍କା, ନୂଆପଡ଼ା ରୁ ୧.୭୨ ଲକ୍ଷ ଟଙ୍କା ଏବଂ ଖରିଆର ରୁ ୧.୮୦ ଲକ୍ଷ ଟଙ୍କା ଜରି ବିକ୍ରି ପାଇଁ ଜୋରିମାନା ଆଦାୟ ହୋଇଛି l ଶ୍ରୀମତୀ ସିଂ କହିଲେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍, ତିଖାଲି ଡ୍ୟାମ୍, ମାରାଗୁଡା, ରାନୀ ମୁହାଁସ୍ ଗୁମ୍ଫା, ଥିପାଖୋଲ ଇତ୍ୟାଦି ଜାଗାରେ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରଶାସନ ପଦକ୍ଷେପ ନେଉ l ସହରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମୁଚିତ ବ୍ୟବସ୍ଥା ହେଉ l ଜିଲ୍ଲାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୬୦ ରୁ ୭୦ ଭିତରେ ନିରାପଦ ମାତ୍ରାରେ ରହିଛି l ଦୁଇଟି ଜାଗାରେ ସାମ୍ପଲ ସର୍ଭେ ରେ ପାଣିରେ ଫ୍ଲୋରାଇଡ ସୀମା ମଧ୍ଯରେ ଥିବା ଜଣା ପଡିଛି l ଜିଲ୍ଲାପାଳ କହିଲେ ଏବେ ପ୍ରଶାସନର କୌଣସି ସଭା ସମିତି ରେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରା ଯାଉନାହିଁ lଧୀରେ ଧୀରେ ଜିଲ୍ଲାରେ ପ୍ଲାଷ୍ଟିକ ବ୍ୟବହାର ସମ୍ପୁର୍ଣ୍ଣ ବନ୍ଦ କରିବା ଆମ ଲକ୍ଷ୍ଯ l ଆମେ ସମସ୍ତେ ମିଶି ପରିବେଶ ସୁରକ୍ଷା କଲେ ପରିବେଶ ମଧ୍ୟ ଆମର ସୁରକ୍ଷା କରିବ l ଆଜିର ଏହି ବୈଠକରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା, ସି ଡି ଏମ୍ ଓ ଡଃ ଉମାକାନ୍ତ ମେହେର୍, ଆର୍ ଟି ଓ ମାନ ସିଂ, ବିଜ୍ଞାପିତ ଅଞ୍ଚଳ ପରିଷଦ ଇ ଓ କୁରୁକ୍ଷେତ୍ର ନାୟକ, କମଳାସନ ରଥ, ସ୍ଵାଧୀନ କୁମାର ମହାରଣା, ଜିଲ୍ଳା ଶିଳ୍ପ କେନ୍ଦ୍ର ପରିଚାଳକ ସମୀର ମୁଦୁଲି, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l
