ନୂଆପଡ଼ା (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ରଙ୍କ ନେତୃତ୍ବରେ ପରିଚାଳିତ ଅପରେଶନ୍ ଶୁଦ୍ଧି ମାଧ୍ୟମରେ ଜିଲ୍ଳା ପୋଲିସ୍ କୁ ଆଉ ଏକ ବିରାଟ ସଫଳତା ମିଳିଛି l ଜିଲ୍ଲାରେ ବିଗତ ଦିନ ମାନଙ୍କରେ ଚୋରି ହୋଇଥିବା କିମ୍ବା ହଜି ଯାଇଥିବା ୧୦୪ ଟି ମୋବାଇଲ୍ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇଛି ନୂଆପଡ଼ା ପୋଲିସ୍ l ଏଥିପାଇଁ ଜିଲ୍ଲାର ସମସ୍ତ ନଅ ଟି ଥାନାରେ ମୋଟ ୨୦ ଟି ଦଳ ଗଢି ଏହି ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହୋଇଥିଲା l ସମସ୍ତଙ୍କ ୪୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୧୦୪ ଟି ମୋବାଇଲ୍ ଉଦ୍ଧାର ହୋଇଥିଲା l ଏହାକୁ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସ୍ଵତନ୍ତ୍ର ମୋବାଇଲ୍ ଫେରସ୍ତ ମେଳାର ଆୟୋଜନ କରାଯାଇଥିଲା l ଏଥିରେ ଅଧ୍ୟକ୍ଷତା କରି ଏସ୍ ପି କହିଲେ ଯେ ଜିଲ୍ଲା ପୋଲିସ୍ ବହୁ ନିଷ୍ଠାର ସହିତ ପ୍ରଚେଷ୍ଟା କରି ଏହି ୧୦୪ ଟି ମୋବାଇଲ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି l ଏସବୁର ଆନୁମାନିକ ମୂଲ୍ଯ ୨୫ ଲକ୍ଷ ଟଙ୍କା ହେବ l ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫୦ ଟି ମୋବାଇଲ୍ ଚୋରି ଏବଂ ହଜି ଯାଇଥିବା କେଶ୍ ଦାୟର ହୋଇଥିଲା l ସେଥିରୁ ଖରିଆର ଥାନା ଅଞ୍ଚଳରୁ ୪୩ ଟି ନୂଆପଡ଼ା ରୁ ୧୯ ଟି ସିନାପାଲି ରୁ ୧୬ ଟି ଏବଂ ବୋଡ଼େନ ଥାନା ଦ୍ଵାରା ୧୧ ଟି ମୋବାଇଲ୍ ଉଦ୍ଧାର ହୋଇଛି l ଯଦି କାହାର ମୋବାଇଲ ଚୋରି କିମ୍ବା ହଜି ଯାଇଛି ତାହେଲେ ବ୍ୟସ୍ତ ନହୋଇ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ l ଏହାକୁ ପୋଲିସ୍ ନିଶ୍ଚିତ ଭାବରେ ଟ୍ରାକ୍ କରି ଉଦ୍ଧାର କରିପାରିବ l ଏ ସମ୍ବନ୍ଧରେ ପୋଲିସ୍ ର ହ୍ଵାଟ୍ ସ୍ଆପ୍ ନମ୍ବର- ୯୪୩ ୮୯୧ ୬୮୬୨ ରେ ନିଜର ତଥା ମୋବାଇଲ୍ ର ସମସ୍ତ ସୂଚନା ଦେଇ ଅଭିଯୋଗ ଦାୟର କରି ପାରିବେ l ନିଜର ହଜି ଯାଇଥିବା ମୋବାଇଲ୍ କୁ ଆଉଥରେ କେବେ ଫେରି ପାଇବାର ଆଶା ରଖି ନଥିବା ବ୍ୟକ୍ତିମାନେ ଏସ୍ ପି ଙ୍କ ହାତରୁ ତାହା ଗ୍ରହଣ କରି ଖୁସିରେ ଅଧିର ହୋଇ ଯାଇଥିଲେ l ଆଜିର ଏହି ମେଳାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରଞ୍ଜିତ କୁମାର ନାୟକ, ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେହେର, ଜୋଙ୍କ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଏବଂ ପୋଲିସ୍ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l