Odisha news

ନୂଆପଡାରେ ଭାରତର ବୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ବାଇକ୍ ରେଲି ଅନୁଷ୍ଠିତ ହେବ

0
ନୂଆପଡା -୧୦/୫ (ସୁରେନ୍ଦ୍ର ତିୱାରୀ) : ଭାରତର ବୀର ସୈନିକମାନଙ୍କୁ  ଉତ୍ସାହିତ କରି ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ  ମେ ୧୧ ତାରିଖ, ରବିବାର  ଦିନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଜନ ଶୋଭାଯାତ୍ରା ଆୟୋଜିତ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ରୁ ଆରମ୍ଭ ହୋଇ ୧୦ ଟା ଭିତରେ ଶେଷ ହେବ ।ଏହି ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଏନ. ସି. ସି. କ୍ୟାଡେଟ, କ୍ରୀଡାବିତ୍, ପୋଲିସ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜନସାଧାରଣ  ଯୋଗ ଦେବେ।ଏହି ରାଲି ମୁଖ୍ୟତଃ ମୋଟର ସାଇକେଲ ରାଲି ହେବ।ସମସ୍ତ ଜିଲ୍ଲା ମହକୁମା, ଉପଖଣ୍ଡ, ବ୍ଲକ ମହକୁମାରେ ଏହି ରାଲିର ଆୟୋଜନ କରାଯିବ। ଏଥିରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧି ମାନେ ସାମିଲ୍ ହେବେ। ଅଂଶ ଗ୍ରହଣକାରୀ ମାନେ ତ୍ରିରଙ୍ଗା ପତାକା ଧରି ରାଲିରେ ଯିବେ ।  ନୂଆପଡା ଜିଲ୍ଲାରେ ଏହି ରାଲି କୁ ସଫଳ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ସଭା ଓସ୍ ୱାନ୍ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍ ପି ଜି ଆର୍ ରାଘବେନ୍ଦ୍ର , ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।ସଦର ମହକୁମାରେ ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସକାଳ ଆଠ ଟାରେ ଆରମ୍ଭ ହୋଇ ସାଲିହା ସ୍ମୃତି ସ୍ତମ୍ଭ ପର୍ଯ୍ୟନ୍ତ ଯିବ ।  ସେହିଭଳି ସମସ୍ତ ବ୍ଲକ୍ ମାନଙ୍କରେ ଏହି ରେଲି ଅନୁଷ୍ଠିତ ହେବ । ଏହି ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର ଜନ ଗଣ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ  ଜିଲ୍ଲାପାଳ  ଆହ୍ବାନ ଦେଇଛନ୍ତି ।
Leave A Reply