ନିଶ୍ଚିନ୍ତକୋଇଲି୧୩ା୮ : ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କେଣ୍ଟାଳ ପଞ୍ଚାୟତ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ଅସୁରେଶ୍ୱର ମଲ୍ଲୀପୁର ସ୍ଥିତ ଶ୍ରୀ ରଘୁନାଥଜୀୟୁ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟିଙ୍କୁ ଆକ୍ରମଣ ଘଟଣାରେ ଆଜି ନିଶ୍ଚିନ୍ତକୋଇଲି ପୋଲିସ୍ ଦୁଇଜଣ ଆସାମୀକୁ ଜେଲ୍ ପଠାଇଛନ୍ତି । ପ୍ରକାଶ ଯେ କେଣ୍ଟାଳ ପଞ୍ଚାୟତ ପୂର୍ବତନ ସରପଞ୍ଚ , ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ରଘୁନାଥ ଜୀୟୁ ମନ୍ଦିରର ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁ ଗତକାଲି ରାତ୍ର ୯.୩୦ ସମୟରେ ରଘୁନାଥଜୀୟୁ ମନ୍ଦିରରୁ କାର୍ଯ୍ୟସାରି ସାଙ୍କିଲୋସ୍ଥିତ ନିଜ ଘରକୁ ଏକ ସ୍କୁଟି ଗାଡିରେ ଫେରୁଥିଲେ । କେଳା ବସ୍ତି ନିକଟରେ ଏକ ପାଟନାଳୀ ପୋଲ ପାଖରେ ମଲ୍ଲୀପୁର ଗ୍ରାମର କୁଲୁ ଓ ତାଙ୍କ ସହିତ ୮/୧୦ଜଣ ଯୁବକ ପୂର୍ବରୁ ଯୋଜନାବଦ୍ଧ ଭାବେ ଛକି ରହିଥିଲେ ।
ପ୍ରକାଶ ସାହୁ ସ୍କୁଟିରେ ପୋଲ ନିକଟରେ ପହଞ୍ଚôବା ବେଳେ ହଠାତ୍ ସଂଗବଦ୍ଧଭାବେ ଭୁଜାଲି ଓ ଫାର୍ସାରେ ପ୍ରକାଶକୁ ଅତର୍କିତ ଭାବେ ମୁଣ୍ଡ, ବେକ, କାନ ମୁହଁ ଓ ହାତକୁ ଚୋଟ ଉପରେ ଚୋଟ ମାରି ଚାଲିଥିଲେ । ଏହି ସମୟରେ ପ୍ରକାଶ ଚିକ୍ରାର କରିବାରୁ କେଳା ବସ୍ତିର ଓ ବାଟରେ ଆସୁଥିବା କେତେକ ଲୋକଙ୍କୁ ଦେଖି କୁଲୁ ଓ ତା’ର ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଲୋକମାନେ ଗୁରୁତର ଅବସ୍ଥାର ପ୍ରକାଶକୁ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥିତ କିମ୍ସ୍ ହସ୍ପିଟାଲ୍କୁ ନେଇଥିଲେ ।
ଗୁରୁତର ଆହାତର ଭାଇ ପ୍ରତାପ ଚନ୍ଦ୍ର ସାହୁ ଏ ସଂପର୍କରେ ନିଶ୍ଚିନ୍ତକୋଇଲି ଥାନାରେ ଆସାମୀ ମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତିକରି ନିଶ୍ଚିନ୍ତକୋଇଲି ପୋଲସ୍ ୧୦୮/୨୦ରେ ମାମଲା ରୁଜକରି ତଦନ୍ତ ଚଳାଇଥିଲା । ଗତକାଲି ବିଳମ୍ବିତ ରାତିରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍.ପି ପି. କେ ଜେନା, ଡି.ଏସ୍.ପି ରଞ୍ଜିତ୍ କୁମାର ପୃଷ୍ଟି, ଆଇ.ଆଇ.ସି ଶୁଭ୍ରାଂଶୁ ଶେଖର ପରିଡା, ଏସ୍.ଆଇ ଶଶ୍ମିତା ବେହେରା ଓ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ କୁମାର ନାୟକ ପ୍ରମୁଖ ଗତକାଲି ବିଳମ୍ବିତ ରାତିରେ କୁରୁଜଙ୍ଗା ଗ୍ରାମରେ ଚଢ଼ାଉକରି ମଲ୍ଲୀପୁର ଗ୍ରାମର କୁଲୁ ଓରଫ ପ୍ରଫୁଲ୍ଲ ବେହେରା (୩୨) ଓ ମଲ୍ଲୀପୁର ଗ୍ରାମର କଇନ ଓରଫ କୈଳାସ ବେହେରା (୪୦)କୁ ତାଙ୍କ ଘରେ ଚଢ଼ାଉକରି ଗିରଫ କରିବା ସହ ତାଙ୍କଠାରୁ ଏକ ଭୁଜାଲି , ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍.ପି ପି. କେ ଜେନା, ପ୍ରକାଶ କରିଥିଲେ । ଉଭୟ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
