ମୁମ୍ବାଇ: ବାତ୍ୟା ନିସର୍ଗ ମହାରାଷ୍ଟ୍ର ମାଟି ଛୁଇଁଲା ବେଳକୁ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହିବା ସହିଚ ଘଡ଼ଘଡ଼ି ସହିତ ବର୍ଷା ମହାରାଷ୍ଟ୍ରରେ ତାଣ୍ଡବ ରଚିଥିଲା।
ମୁମ୍ବାଇରୁ ପ୍ରାୟ ୭୫ କିଲୋମିଟର ଦକ୍ଷିଣ-ପୂର୍ବକୁ ରାୟଗଡ଼ ଜିଲ୍ଲା ଅଲିବାଗ ନିକଟରେ ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଲ୍ୟାଣ୍ଡଫଲ କରିଥିଲା ନିସର୍ଗ। ଏହାର ପ୍ରଭାବରେ ଅଲିବାଗ୍ ସହ ରାୟଗଡ଼, ରତ୍ନଗିରି ଓ ପାଲଗଡ଼ ଭଳି ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟିଛି।
ବହୁ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ, ବଡ଼ବଡ଼ ଗଛ, ଟେଲିଫୋନ୍ ଓ ବିଦ୍ୟୁତ ଖୁଣ୍ଟ ଆଦି ଭାଙ୍ଗିଯାଇଛି। ଲ୍ୟାଣ୍ଡଫଲର ୨ରୁ ୩ ଘଣ୍ଟା ଯାଏ ବାତ୍ୟାର ପ୍ରକୋପ ଫିକା ପଡ଼ିନଥିଲା। ପରେ ଧୀରେଧୀରେ ଏହା ଦୁର୍ବଳ ହୋଇ ମୁମ୍ବାଇ ଓ ଥାନେ ଦେଇ ଗତି କରିଥିଲା।
ନିସର୍ଗ ପ୍ରଭାବରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଓ ପବନ ଲାଗି ରହିଛି। ପ୍ରଭାବିତ ଅଞ୍ଚଳରେ ମୋବାଇଲ୍ ଓ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ତେବେ ଆଶ୍ୱସ୍ତିର ବିଷୟ, ପବନ ଥମୁଥମୁ ରାସ୍ତା ସଫା, ଥଇଥାନ ଓ ଭିତ୍ତିଭୂମି ପୁନରୁଦ୍ଧାର କାମ ଆରମ୍ଭ କରିଛି ଏନ୍ଡିଆର୍ଏଫ୍, ଅଗ୍ନିଶମ ଓ ବିଭିନ୍ନ ରେସ୍କ୍ୟୁ ଟିମ୍। ତେଣୁ ଖୁବ୍ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇବା ପୂର୍ବରୁ ମହାରାଷ୍ଟ୍ରରେ ୨୧ ଓ ଗୁଜରାଟରେ ୧୬ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଥିଲା। ଉଭୟ ରାଜ୍ୟରୁ ପ୍ରାୟ ଏକ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନାନ୍ତର ହୋଇଥିଲେ।
#CycloneNisargaUpdate
DAY 0-3rd June 2020,1400 hrs#CycloneNisarga landed
Visuals few minutes ago from Pen, Raigad District of MaharashtraVideo12@NDRFHQ @ndmaindia @PMOIndia @HMOIndia @BhallaAjay26 @PIBHomeAffairs @ANI @PTI_News @DDNewslive @DDNewsHindi @DisasterState