ନୂଆଦିଲ୍ଲୀ, ୧୭ା୨ : ପୁଣିଥରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀଙ୍କ ନାଁରେ ମୃତ୍ୟୁ ପରୱାନା ବା ଡେଥ ୱାରେଣ୍ଟ ଜାରି କରାଯାଇଛି । ନୂଆ ଡେଥ୍ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ । ଏନେଇ ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ପଟିଆଲା ହାଉସ କୋର୍ଟ ଦୁଇ ଦୁଇଟି ଫାଶୀ ତାରିଖ ସ୍ଥିର କରିଥିଲେ । ହେଲେ ଦୋଷୀମାନେ ଆଇନର ଗଳାବାଟ ବ୍ୟବହାର କରି ଏହାକୁ ଟାଳି ଦେଇଥିଲେ । ଆଜି ଶୁଣାଣି ବେଳେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେଇଥିଲେ । ସରକାରୀ ଓକିଲ ରାଜୀବ ମୋହନ କହିଥିଲେ ଯେ ବର୍ତ୍ତମାନ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରି ସାରିଛନ୍ତି । କେବଳ ପବନ ଗୁପ୍ତାର ହିଁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବାକି ରହିଛି । କୌଣସି କୋର୍ଟରେ ମଧ୍ୟ ସେମାନଙ୍କର କୌଣସି ଆବେଦନ ବିଚାରାଧିନ ହୋଇ ରହିନାହିଁ । ତେଣୁ ଡେଥ ୱାରେଣ୍ଟ ଜାରି କରାଯିବା ଦରକାର । ସେ ଆହୁରି କହିଥିଲେ ଯେ ଦୋଷୀମାନେ ଆଇନର ଗଳାବାଟ ବ୍ୟବହାର କରୁଥିବାରୁ ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ ୭ ଦିନର ସମୟ ଦେଇଥିଲେ । ଏହି ସମୟସୀମା ମଧ୍ୟରେ ସମସ୍ତ ଦୋଷୀଙ୍କୁ ସେମାନଙ୍କ ପାଖରେ ଥିବା ଆବେଦନ ବିକଳ୍ପକୁ ବ୍ୟବହାର କରିବାକୁ କୁହାଯାଇଥିଲା । ହେଲେ ପବନ ଏହାକୁ ଖାତିର କରିନାହ । କୋର୍ଟଙ୍କ ଧାର୍ଯ୍ୟ ସମୟସୀମା ମଧ୍ୟ ଶେଷ ହୋଇଯାଇଛି ।