ଭୁବନେଶ୍ୱର, ୧୩ ଜୁଲାଇ – କୋଭିଡ-୧୯ ମୁକାବିଲା ପାଇଁ ପି.ଏମ. କେୟାର ପାଣ୍ଠିର ସମୀକ୍ଷା ପାଇଁ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପି.ଏ.ସି.) ପ୍ରୟାସକୁ ବିଜେପି ଅଟକାଇବା ରେ ସଫଳ ହୋଇଛି । ବିଜୁ ଜନତା ଦଳର ପ୍ରତିନିଧି ପି.ଏମ. କେୟାର ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା କରିବା ପ୍ରସ୍ତାବକୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପ୍ରେସବାର୍ତା ମାଧ୍ୟମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି ଯେ ଆଗରୁ ବାରମ୍ବାର ବିଜେପି ଓ ବିଜେଡ଼ିର ଏହି ସମ୍ପର୍କକୁ କଂଗ୍ରେସ ସାଧାରଣ ଲୋକଲୋଚନକୁ ଆଣିଥିବା ସ୍ଥଳେ ଏବେ ପୁଣି ବିଜେପି ବିଜେଡ଼ି ସମ୍ପର୍କ ଯେ ରାଜ୍ୟରେ କଳି ଏବଂ ଦିଲ୍ଲୀରେ କୋଳା କୋଳି ବୋଲି ପୁଣିଥରେ ପ୍ରମାଣିତ କରିଛି ପି.ଏମ. କେୟାର ପାଣ୍ଠି ନେଣ ଦେଣକୁ ସମୀକ୍ଷା ନକରିବା କୋଉ ଜନସ୍ୱାର୍ଥ ସମ୍ବଳିତ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ପବ୍ଲିକ ଆକାଉଣ୍ଟସ କମିଟି (ପିଏସି)ରେ ଥିବା ବିଜୁ ଜନତା ଦଳର ସାଂସଦ ପିଏସିର ଅଧ୍ୟକ୍ଷ କଂଗ୍ରେସର ସାଂସଦ ସୁଧିର ରଞ୍ଜନ ଚୌଧୁରୀ ପି.ଏମ. କେୟାର ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା କରିବା ପାଇଁ ଆଣିଥିବା ପ୍ରସ୍ତାବକୁ ସିଧାସଳଖ ଭାବେ ବିରୋଧ କରିଥିଲେ । ଚିନ୍ ଦେଶର ବହୁ କମ୍ପାନୀ ପି.ଏମ. କେୟାର ପାଣ୍ଠିକୁ ମୋଟା ଧରଣର ଚାନ୍ଦା ଦେଇଛନ୍ତି । ପି.ଏମ. କେୟାର ଫଣ୍ଡ ଜନସାଧାରଣଙ୍କ ଟଙ୍କା, ଏହା କେଉଁଠାରୁ ଆସିଲା କିପରି ଖର୍ଚ୍ଚହେଲା ଏବଂ କେଉଁ ଭୟରେ ବିଜେଡି ଓ ବିଜେପି ଏହାକୁ ବିରୋଧ କରୁଛନ୍ତି ତାହା ଜନସାଧାରଣଙ୍କ ଜାଣିବାର ଅଧିକାର ଅଛି । ବିଜେଡ଼ି ସରକାର କଣ ପାଇଁ ଏଭଳି ଜନସ୍ୱାର୍ଥ ପ୍ରସଙ୍ଗ ଅର୍ଥାତ ପି.ଏମ. କେୟାର ପାଣ୍ଠିକୁ ପିଏସି ଦ୍ୱାରା ସମୀକ୍ଷା ପ୍ରସ୍ତାବକୁ ବିରୋଧ କଲା ତାର ଉତର ବିଜୁ ଜନତାଦଳ ଏବଂ ବିଜେପି ଓଡ଼ିଶା ବାସୀଙ୍କୁ ଅବଗତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
