ନିରାକାରପୁର : ଶ୍ରାବଣ ମାସରେ ବର୍ଷାର ଦେଖାଦର୍ଶନ ନାହିଁ । ଚାଷୀ ଚାଷ କାମ କରିବାକୁ ଆକାଶକୁ ଚାହିଁ ବସିଛନ୍ତି । ବର୍ଷା ଅଭାବରୁ ତଳି ପଡ଼ିଥିବା ଚାଷ ଜମି ବର୍ତ୍ତମାନ ଫାଟି ଆଁ କରିବାକୁ ଲାଗିଲାଣି । ଏହି ଚାଷ ଆରମ୍ଭ ସମୟରୁ ହାତୀପଲଙ୍କ ଆଗମନ ଓ ଚାଷ ଜମିରେ ପଶି ଏକର ଏକର ଗଜା ଧାନକୁ ଦଳିଚକଟି ନଷ୍ଟ କରୁଥିବାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ ଅଞ୍ଚଳ ନିରାକାରପୁର, ଜଙ୍କିଆ ଅଞ୍ଚଳର ଚାଷୀମାନଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି । ୧୨ରୁ ଅଧିକ ହାତୀ ବର୍ତ୍ତମାନ ଆସି ନିରାକାରପୁର ଚିତ୍ରକୂଟ ମୁଣ୍ଡିଆରେ ରହି ରାତି ହେଲେ ମୁଣ୍ଡିଆର ଓହ୍ଲାଇ ଡ଼ିଆ ପଞ୍ଚାୟତ କାଶୀପୁର ଭୈରବୀ ନିକଟସ୍ଥ ଜମିରେ ପଶି ଧାନ ଜମିକୁ ନଷ୍ଟ କରି ପକାଉଛନ୍ତି ।
ପାହାଡ଼ ନିମ୍ନଭାଗରେ ଷ୍ଟ୍ରେଜ ଖୋଳା ଯାଇଥିଲେ ବି କିଛି ଅଂଶ ପୋତି ହୋଇ ଯିବାରୁ ଉକ୍ତ ବାଟ ଦେଇ ହାତୀମାନେ ତଳକୁ ଆସି ଏପରି ଘଟାଉଥିବା କଥା ଗ୍ରାମବାସୀମାନେ ଜଣାଇଛନ୍ତି । ସେମାନଙ୍କୁ ବନ ବିଭାଗ ଘେଉଡ଼ାଇବାକୁ ଚେଷ୍ଟା ଜାରି ରଖିଥିବା କଥା ଜଣାପଡ଼ିଛି । ସେହିପରି ହାତୀପଲ ଗତ ରବିବାର ରାତିରେ ଜଙ୍କିଆ ପଞ୍ଚାୟତ ମୁଣ୍ଡାଆମ୍ବ ଅଞ୍ଚଳରେ ପଶି ବ୍ୟାପକ ଧାନ ଜମି ନଷ୍ଟ କରିଥିବା ସୂଚନା ମିଳିଛି ।
ଏହି ଅଞ୍ଚଳର ମଦନ ନାୟକ, ଶ୍ରୀନିବାସ ଦଳେଇ, ପ୍ରତାପ ସେଠୀ ଓ ଲଖିଆ ମାଟି ପ୍ରମୁଖ ଚାଷୀଙ୍କର ଚାଷ ଜମି ନଷ୍ଟ କରିଛନ୍ତି । ଏବେଠାରୁ ହାତୀପଲଙ୍କ ଆଗମନ ଧାନ ଚାଷ ଶେଷ ପର୍ଯ୍ୟନ୍ତ ହାତୀ ଓ ମଣିଷ ମଧ୍ୟରେ ଲଢେଇର ଆରମ୍ଭ ହୋଇଛି । ଏଥିରେ କେତେ ହାତୀ ଓ ମଣିଷଙ୍କ ଜୀବନ ଯିବ ତାହା ଭବିଷ୍ୟତ ହିଁ କହିବ । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ବନ ବିଭାଗ ତ୍ୱରିତ ପଦକ୍ଷେପ ନେବା ସହ ଟାଙ୍ଗୀ ବନାଞ୍ଚଳକୁ କିପରି ହାତୀମାନଙ୍କୁ ବାରଣ କରାଯାଇ ପାରିବ ସେଥିପାଇଁ ଯଥା ସମ୍ଭବ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି । ବର୍ତ୍ତମାନ କ୍ଷୟକ୍ଷତି ଘଟିଥିବା ଚାଷୀମାନଙ୍କ କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ କରିବାକୁ ଦାବୀ ହେଉଛି