ନିରାକାରପୁର, ୧୮/୬: କର୍ମୀଙ୍କୁ ଅଣଦେଖା କରିବା ପ୍ରଦିବାଦରେ ବିଜେପି କର୍ମୀଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗତ କାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଓଳସିଂହ ଗ୍ରାମକୁ ଯାଇଥିବାବେଳେ କିଛି ଦଳୀୟ କର୍ମୀମାନେ ରାସ୍ତାରେ ପଥର ଥୋଇ ତାଙ୍କର ରାସ୍ତା ଅବରୋଧ କରିଛନ୍ତି । ‘ଗୋ ବ୍ୟାକ୍ ଅପରାଜିତା’ ନାରା ଦେଇ ଚାରି ବର୍ଷ ହେଲା କୁଆଡେ ଯାଇଥିଲ ବୋଲି କହିବା ସହ ସାଂସଦଙ୍କୁ ଜୋରଦାର ବିରୋଧ କରିଥିଲେ ଦଳୀୟ କିଛି କର୍ମୀ ଓ କର୍ମକର୍ତ୍ତାମାନେ ।ପୋଲିସ ଉପସ୍ଥିତିରେ ସାଂସଦ ଅପରାଜିତା ଗ୍ରାମରେ ପଦଯାତ୍ରା କରି ଫେରି ଯାଇଥିଲେ। ସାଂସଦଙ୍କ ସାଥୀରେ ଥିଲେ ବିଜେପି ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର । ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଓଳସିଂହ ଗ୍ରାମରେ ଅପରାଜିତା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସହ ଏକ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ । ମାତ୍ର ଅପରାଜିତା ପହଞ୍ଚିବା ବେଳକୁ ବଡପୋଖରୀଆ ମଣ୍ଡଳ ସଭାପତି ବିପିନ ପାଲଟାସିଂ, ୯ନଂ ଜୋନ ବିଜେପି ଜିଲା ପରିଷଦ ପ୍ରାର୍ଥୀ ଆଶିଷ ଅରିଶଲଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ତାଙ୍କୁ ବିରୋଧ କରିଥିଲେ । ରାସ୍ତା ଉପରେ ପଥର ପକାଇ ତାଙ୍କ ଗାଡ଼ିକୁ ଆଗକୁ ଯିବାକୁ ଦେଇ ନ ଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଠାରେ ମଧ୍ୟ କର୍ମୀମାନେ ତାଙ୍କୁ ବେଢ଼ି ଯାଇ ଚାରି ବର୍ଷ ପରେ କୁଆଡ଼େ ଆସିଲେ ବୋଲି ପ୍ରଶ୍ନ କରିଥିଲେ । ନିଜସ୍ୱ ସଙ୍ଗଠନ ଗଢ଼ିବାକୁ ଯାଇ ଦଳରେ ଫାଟ ସୃଷ୍ଟି କରିବା, ଦଳୀୟ କର୍ମୀଙ୍କୁ କ୍ରମାଗତ ଭାବରେ ଅବହେଳା କରିବା ନେଇ ସେମାନେ ଅଭିଯୋଗ କରିଥିଲେ ।