Odisha news

ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପ୍ରତି ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0

ନିରାକାରପୁର,୦୬/୫: ଯେଉଁଠି ଜୀବନ ଅଛି , ସେଠି ମୃତ୍ୟୁ ଅବସମ୍ଭାବି । ହେଲେ ମୃତ୍ୟୁ ଏତେ ହୃଦୟ ବିଦାରକ ହୋଇପାରେ ବୋଲି କେବେ କେହି ଆଶା କରିନଥିଲେ । ଗତ ଶୁକ୍ରବାର ଜୁନ୍ ୨ ତାରିଖ ସଂଧ୍ୟା ୦୬:୫୫ ମି ରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ମୃତ୍ୟୁ ରଚିଥିଲା ତାର ତାଣ୍ଡବ ଲୀଳା । କାଳର କରାଳ ଗ୍ରାସରେ ଲିଭିଯାଇଥିଲା ଶତାଧିକ ମଣିଷମାନଙ୍କ ଜୀବନ ପ୍ରଦୀପ। ତିନି ତିନିଟି ଟ୍ରେନ ପରସ୍ପର ସହ ଧକ୍କା ହେବା ଫଳରେ ଘଟିଥିଲା ଏଭଳି ଭୟାନକ ମର୍ମନ୍ତୁଦ ଦୁର୍ଘଟଣା, ଯେଉଁଥିପାଇଁ ସାରା ଦେଶ ବିଦଶରେ ଖେଳି ଯାଇଥିଲା ଶୋକର ଲହରୀ । ବିଭିନ୍ନ ମହଲରୁ ଛୁଟି ଆସିଥିଲା ଦିବଙ୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ସହ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନାର ବାର୍ତ୍ତା । ସାରା ରାଜ୍ୟବାସୀଙ୍କ ହୃଦୟରେ ଏହି ଘଟଣା ସୃଷ୍ଟି କରିଥିଲା ଭୟ ଓ ଆତଙ୍କ । ସମସ୍ତଙ୍କ ଆଖିରେ ଅଶ୍ରୁର ଧାର ଆଉ ମନରେ ଶୋକସନ୍ତପ୍ତ ପରିବାର ପ୍ରତି ସାନ୍ତ୍ବନାର ଇସ୍ତାହାର । ଶ୍ରୀ ଶ୍ରୀ ରଘନାଥ ନାଟ୍ୟ ସଂସଦ, ଗୋଳବାଇ, ଖୋର୍ଦ୍ଧାର ସମସ୍ତ କଳାକାର ତଥା ଗ୍ରାମବାସୀ ମଧ୍ୟ ଅନୁରୂପ ସମବେଦନା ପ୍ରକାଶ କରିଥିଲେ । ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାଟ୍ୟ ସଂସଦର ସମସ୍ତ କଳାକାର, କର୍ମକର୍ତ୍ତା ଓ ଗ୍ରାମବାସୀମାନେ ସଂସଦର କୋଠ ଘର ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଶେଷରେ ମା’ ଭଗବତୀଙ୍କ ମନ୍ଦିର ନିକଟରେ ଶେଷ ହୋଇଥିଲା । ସେଠାରେ ମୃତ ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପରିଶେଷରେ ବାଲେଶ୍ବର ଜିଲ୍ଲାବାସୀ ତଥା ବାହାନଗା ଗ୍ରାମର ସମସ୍ତ ଲୋକଙ୍କୁ ସେମାନଙ୍କର ସାହସିକତା ପାଇଁ ସାଧୁବାଦ ଜ୍ଞାପନ କରିଥିଲେ ।।

Leave A Reply