ନିରାକାର ପୁର,୫/୫: ୧୬ ନମ୍ବର ଜାତୀୟ ରାଜପଥ ଦଧିମାଛଗାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ କୁ ଧକ୍କା ଦେଲା କାର । ସୂଚନା ମୁତାବକ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଓଡ଼ି୦୨-ସିବି-୩୦୪୪ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଭେନ୍ୟୁ କାର କୌଣସି କାରଣ ବଶତଃ ନିୟନ୍ତ୍ରଣ ହରାଇ ସାମ୍ନାରେ ଯାଉଥିବା ଏକ ଟ୍ରକ ର ପଛ ପଟକୁ ଧକ୍କା ଦେଇଥିବା ବେଳେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୂର୍ ମାର୍ ହୋଇଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ କାର ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ବେଳେ ଅଧା ବାଟରେ ସମ୍ପୃକ୍ତ ଯୁବକ ଜଣକ ମୃତ୍ୟୁବରଣ କରିଥଲେ । ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକ ଯୁବକ ଖୋର୍ଦ୍ଧା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ମଦନରାମ ଅଗ୍ରୱାଲଙ୍କ ପୁଅ ଲୋକେଶ ଅଗ୍ରୱାଲ ବୋଲି ଜଣାପଡିଛି । ଲୋକେଶ ନିଜ ଦଧିମାଛଗାଡ଼ିଆ ସ୍ଥିତ ପେଟ୍ରୋଲ ପମ୍ପ୍ ରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଲୋକେଶଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।