ନିରାକାରପୁର,୧୧/୪: ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନ ଗୁଡିକରେ ନିକୃଷ୍ଟ ମାନର ଏବଂ ଅବଧି ସମାପ୍ତ ହୋଇ ସାରିଥିବା ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି l ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏହାକୁ ଗୁରୁତର ସହ ନେଇଛନ୍ତି l ଡ଼ା ନାୟକଙ୍କ ନିର୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି l କିଛି ଦିନ ତଳେ ଟାଙ୍ଗୀ ର ଏକ ମିକ୍ସଚର ଫାକ୍ଟ୍ରିରୁ ଉକ୍ତ ବିଭାଗ ପାଖାପାଖି 100 କେଜି ଜିନିଷ ନଷ୍ଟ କରିଥିବା ବେଳେ 10 ହଜାର ଟଙ୍କା ଜରିମାନା ଆଦାୟ କରିଥିଲା l ଅନୁରୂପ ଭାବେ ଆଜି ବିପୁଳ ପରିମାଣରେ ଅବଧି ସରିଯାଇଥିବା ବନସ୍ପତି ଘିଅ ନଷ୍ଟ କରିଛି ଖାଦ୍ୟ ଓ ସୁରକ୍ଷା ବିଭାଗ l ସିଡ଼ିଏମଓ ନିର୍ଦେଶକ୍ରମେ ଆଜି ଖୋର୍ଦ୍ଧା ଖାଦ୍ୟ ଓ ସୁରକ୍ଷା ଅଧିକାରିଣୀ ନିବେଦିତା ଭଟ୍ଟ ଏବଂ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ରାମେଶ୍ୱର ଓ ନିରାକାରପୁର ଅଞ୍ଚଳର ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରି ସଂସ୍ଥା ଓ ଅନୁଷ୍ଠାନରେ ଚଢ଼ାଉ କରିଥିଲେ l ତେବେ ଏକ ବେକେରି ୟୁନିଟ ରୁ ୩୦୦ କିଲୋ ଅବଧି ସମାପ୍ତ ହୋଇସାରିଥିବା ବନସ୍ପତି ଘିଅ ନଷ୍ଟ କରିଛି ଏହି ଟିମ l ତତସହିତ ୫ ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ଉକ୍ତ ବିଭାଗ l ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ଆକ୍ସନ ମୋଡ଼ ଦେଖି ବହୁ ଅସାଧୁ ବ୍ୟବସାୟୀ ପ୍ରମାଦ ଗଣୁଥିବାର ଦେଖିବାକୁ ମିଳିଛି l ଏପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଉଭୟ ଅଧିକାରୀ କହିଛନ୍ତି l