ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଛି ହିରିମୂଳ ଗ୍ରାମ : ହଜାରେ ହଜାରେ ହେକ୍ଟର ଚାଷ ଜମି ଜଲମଗ୍ନ , ଡଙ୍ଗାରେ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ
ନିରାକାରପୁର: ଗତ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରବେଶ କରିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଓରବରସିଂହ ପଞ୍ଚାୟତର ହରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ରାସ୍ତାରେ ଆଣ୍ଠୁଏ ପାଣି ଅତିକ୍ରମ କରୁଛି ।
ତେବେ ୩ଦିନ ପରେ ମଧ୍ୟ ଏହି ପାଣି ଛାଡିନଥିବାରୁ ସେଠାକାର ଲୋକେ ଏକ ପ୍ରକାର ପାଣି ଘେରରେ ରହିଛନ୍ତି । ଏହି ପଞ୍ଚାୟତର ଡ଼ିହଖୋଳା, ଓରବରସିଂହ,କୃଷ୍ଣପୁର, ଲେଖନପୁର, ନରଣଗଡ଼ ପଞ୍ଚାୟତର ମାନପୁର,ଓରମି, ବଳପୁର,ଧବଳପୁର ଓ କୁରୁମପଡ଼ା , ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର, ଷଢେଇଗଡ଼ ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି ।
ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ଶରଧାପୁର ଠାରୁ ଚଣ୍ଡୀ ବରଗଛ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅଞ୍ଚରେ ବନ୍ୟା ସୃଷ୍ଟି କରୁଛି । ବନ୍ୟାଜଳ ଚାଷ ଜମିରେ ରହିଥିବାବେଳେ ଆହୁରି ଯଦି ଏହି ପରିସ୍ଥିତ ଲାଗି ରହେ ତେବେ ଧାନ ଫସଲ ପଚି ନଷ୍ଟ ହୋଇ ଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହି ସବୁ ଅଞ୍ଚଳ ମଧ୍ୟରେ ହିରିମୂଳ ଗ୍ରାମଟି ବନ୍ୟା ହେଲେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଗ୍ରାମରେ ୨୯ଟି ପରିବାର ରହୁଥିବାବେଳେ ଲୋକ ସଂଖ୍ୟା ୩୦୦ ହେବ । ବନ୍ୟା ପାଣି ଆସିଲା ମାତ୍ରେ ଏହି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି ।
ସେଥିପାଇଁ ପ୍ରଶାସନ ଉକ୍ତ ଗ୍ରାମକୁ ଏକ ବୋଟ ଡ଼ଙ୍ଗା ପ୍ରଦାନ କରିବା ସହ ଚାଳକଙ୍କୁ ବି ନିଯୁକ୍ତ ଦେଇଛନ୍ତି । ତେବେ ଆଜି ଘଟଣା ସ୍ଥଳ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ, ଉପଜିଲ୍ଲାପାଳ ଅଶୋକ ବେହୁରିଆ, ତହସିଲିଦାର ଏବଂ ରାଜସ୍ୱ ନିରୀକ୍ଷକ ପ୍ରମୁଖ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଆସିବା ଖବର ଶୁଣି ପଂଚାୟତ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ । ସେଠାରେ ଲୋକମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ ।
ସୁରକ୍ଷିତ ସ୍ଥାନ(ବାତ୍ୟା ଆଶ୍ରୟସ୍ଥଳୀ)କୁ ପଳାଇଯିବା ଲାଗି ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିବା ସହିତ ପ୍ରଶାସନ ତରଫରୁ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ଜିଲ୍ଲାପାଳଙ୍କର ଏ ପ୍ରତିଶୃତି ସନ୍ଧ୍ୟା ପର୍ଯ୍ୟନ୍ତ ପୁରଣ ହୋଇନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ତେବେ ଲୋକମାନଙ୍କ କହିବା ଅନୁଯାଇ ଗୃହପାଳିତ ପଶୁଙ୍କ ଲାଗି ପ୍ରଶାସନ ପକ୍ଷରୁ କୌଣସି ଖାଦ୍ୟ ବ୍ୟବସ୍ଥା କରାଯାଇନାହିଁ । ଯାହାଫଳରେ ଭୋକ ଉପାସରେ ଗୃହପାଳିତ ପଶୁ ମାନେ ଦିନ କାଟୁଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ସେମାନେ ଦାବୀ କରିଛନ୍ତି
