ନିରାକାରପୁର, ୨୮/୨: ଦୀର୍ଘ ବର୍ଷ ହେବ ନୟାଗଡ ପୁରୀ ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଘୋଷଣା ହୋଇଥିବାବେଳେ କିନ୍ତୁ ଅଦ୍ୟାବଧି ଏହାର ନମ୍ୱର୍ ମିଳିନଥିବା ସହ କୌଣସି କାର୍ଯ୍ୟର ଅଗ୍ରଗତି ହେଉନି। ଅଞ୍ଚଳବସୀ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସାଂସଦ ଓ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କଲେ ବି ହେବ ହେବ ବୋଲି କେବଳ ପ୍ରତିଶ୍ରୁତି ହିଁ ମିଳିଥିବା ଜଣାପଡ଼ିଛି। ତେଣୁ ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା କରିବା ଉଦ୍ଦେଶ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର ଜଗଦେବ ଙ୍କ ଆବାହକତ୍ୱରେ ହୋଇଯାଇଛି। ଏଥିରେ ନିରାକାରପୁର ରାମଦୟା ପରିଷଦ କର୍ମକର୍ତ୍ତା ଓ ସଭ୍ୟମାନେ, ବିଭିନ୍ନ ସଙ୍ଗଠନ ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର ଏହି ନୂଆ ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପାଇଁ ତୁରନ୍ତ ଘୋଷଣା କରି ଏହାର କାର୍ଯ୍ୟକୁ ଅତି ଶୀଘ୍ର ଆରମ୍ଭ କରିବା ପାଇଁ ଦାବି କରି ଲିଖିତ ଦାବୀ ପତ୍ର କେନ୍ଦ୍ର ମନ୍ତ୍ରୀ ଙ୍କୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। ତା ପରେ ଯଦି ଏହାର କୌଣସି ଅଗ୍ରଗତି ନ ଘଟେ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
