Odisha news

ଗୟାବନ୍ଧ ହାତୀ ଆକ୍ରମଣରେ ଜଣେ ମୃତ୍ୟୁ , ଘଟଣା ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ ଉଦ୍ୟମ : କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲେ ଗ୍ରାମବାସୀ

0

ନିରାକାରପୁର ୨୩/୮: ଶନିବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓଳସିଂହ ପଞ୍ଚାୟତ ଗୟାବନ୍ଧ ଗ୍ରାମ ଟାଙ୍ଗୀ ସାହିର କେଦାର ସୁବୁଦ୍ଧି (୫୫)ଓ ସୁବଳ ବରାଡ଼(୫୮) ପ୍ରତିଦିନ ଭଳି ଜମିରୁ କାମ କରି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ଗୟାବନ୍ଧ ହନୁମାନ ମନ୍ଦିର ନିକଟରେ କାଜୁ ଜଙ୍ଗଲରୁ ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲେ । ହାତୀ ପ୍ରଥମେ କେଦାରକୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ସେହିପରି ହାତୀ ଆକ୍ରମଣରେ ସାଙ୍ଗରେ ଥିବା ସୁବଳ ଆହତ ହୋଇଥିଲେ ।

ଉଭୟଙ୍କୁ ଗ୍ରାମବାସୀ ପ୍ରଥମେ ଖୋର୍ଦ୍ଧା ଡ଼ାକ୍ତରଖାନାରେ ଚିକିସôା କରିଥିଲେ । ସେଠାରେ କେଦାରଙ୍କ ଅବସ୍ଥା ଗୁରୁତର ଖରାପ ହେବାରୁ ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କ ଶବକୁ କ୍ୟାପିଟାଲ ହସପିଟାଲକୁ ନିଆଯାଇ ଆଜି ଶବ ବ୍ୟବଛେଦ କରାଯାଇଥିଲା । ପ୍ରକାଶଯୋଗ୍ୟ କି ଟାଙ୍ଗୀ ବନାଞ୍ଚଳରେ ପ୍ରାୟ ୨୦ରୁ ଉର୍ଦ୍ଧ ହାତୀ ଏଣେତେଣେ ବୁଲି ଧନଜୀବନ ନଷ୍ଟ କରିବା ସହ ବିଭିନ୍ନ ଫସଲ ନଷ୍ଟ କରୁଛନ୍ତି । ଗୟାବନ୍ଧ ଓ ଗୋଳବାଇ , ନିରାକାରପୁର ଚିତ୍ରକୂଟ ଜଙ୍ଗଲରେ ସବୁବେଳେ ୪/୫ ହାତୀ ରହି ଧାନ ଫସଲ ନଷ୍ଟ କରୁଛନ୍ତି ।

ଗୟାବନ୍ଧ କାଜୁ ଜଙ୍ଗଲରେ ଦୀର୍ଘଦିନ ହେବ ଏହି ହାତୀ ରହି ପୂର୍ବରୁ ବି ବହୁ ଘରଦ୍ୱାର ଭାଙ୍ଗିବା,ଧନଜୀବନ ନଷ୍ଟ କରିବା ଓ କିଛି ଲୋକଙ୍କୁ ଆକ୍ରମଣ କରିବା ଭଳି ଘଟଣା ବାରମ୍ବାର ଘଟିଥିଲେ ବି ବନ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଆଜି ପୁଣି ଜଣକର ଜୀବନ ଯାଇଛି । ଧାନ ଫସଲ ଆରମ୍ଭରୁ ହାତୀମାନେ ଟାଙ୍ଗୀ ବନାଞ୍ଚଳରେ ଡ଼େରା ପକାଇବା ଯୋଗୁ ହାତୀମଣିଷର ଲଢେଇ ଧାନ କାଟିଲା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ସୁବଳ ଚିକିସôା ହୋଇ ଘରକୁ ଫେରିଥିବାବେଳେ କେଦାରଙ୍କ ଶବ ଆସି ଆଜି ଅପରାହ୍ନରେ ଗୟାବନ୍ଧ ଛକରେ ପହଞ୍ଚିଲା ପରେ କ୍ଷତିପୂରଣ ଦାବୀ କରି ଉତ୍ତକ୍ତ ଗ୍ରାମବାସୀ ଶବ ରଖି ୧୬ନଂ ଜାତୀୟ ରାଜପଥ ଅବରୋଧ କରିବାକୁ ଚେଷ୍ଟା କରୁଥିଲେ ।

ଘଟଣାସ୍ଥଳରେ ଖୋର୍ଦ୍ଧା ଏସିଏଫ ଗୋବନ୍ଦ ଚନ୍ଦ୍ର ବିଶ୍ୱାଳ,ଫରେଷ୍ଟର ଗୋଦାବରୀଶ ହୋତା ଓ ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ବାବଦ କେଦାରଙ୍କ ପରିବାରକୁ ନଗଦ ୪୦ହଜାର ଟଙ୍କା ଦେଇଥିଲେ ଓ ୩/୪ ଦିନ ମଧ୍ୟରେ ବାକି ୩ଲକ୍ଷ ୬୦ ହଜାର ଟଙ୍କା ବନ ବିଭାଗ ତରଫରୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗଜବନ୍ଧୁ ଯୋଜନାରେ ଗୟାବନ୍ଧ ହନୁମାନ ମନ୍ଦିରଠାରୁ ଗ୍ରାମ ମଧ୍ୟକୁ ଯାଇଥିବା ରାସ୍ତାରେ ସୋଲାର ଲାଇଟ ଲାଗିବା ଓ ସେହି ଲାଇଟର ରକ୍ଷଣାବେକ୍ଷଣା ଦାୟିତ୍ୱରେ କେଦାରଙ୍କ ପୁତ୍ରକୁ ନିଯୁକ୍ତି ଦିଆଯିବ ବୋଲି ବନ ବିଭାଗ ତରଫରୁ ପ୍ରତିଶ୍ରୁତି ମିଳିଥିଲା ।

ଆଜି ଗ୍ରାମବାସୀମାନେ ରାସ୍ତା କଡ଼ରେ ଥିବା କିଛି ଗଛକୁ କାଟି ରାସ୍ତା ସଫା କରିଥିଲେ । ଗୟାବନ୍ଧରେ ବନ ବିଭାରର ଗୋଟିଏ ୫/୬ ଜଣିଆ ଟିମ ରହିବା ସହ ଏକ ଗାଡ଼ି ମିଳିବ ସେମାନେ ଉକ୍ତ ଅଞ୍ଚଳରେ ବୁଲି ହାତୀଙ୍କର ଗତିବିଧି ଉପରେ ନଜର ରଖିବେ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶବକୁ ଗ୍ରାମ ମଧ୍ୟକୁ ନେଇ ଶଶ୍ମାନରେ ଦାହ କରିଥିଲେ

Leave A Reply