Odisha news

ସ୍କୁଲର ପାଠପଢା ସମୟରେ କୋମଳମତି ଛାତ୍ରଛାତ୍ରୀ ସଫା କରୁଛନ୍ତି ପାଇଖାନା

0

ନିମାପଡା,୯ା୨ାନିମାପଡା ବ୍ଲକ ଧଳେଶ୍ୱର ପଂଚାୟତ ଅନ୍ତର୍ଗତ ଅରିଲୋ ପ୍ରାଥମିକ ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀ ମାନେ ଶନିବାର ସକାଳେ ସ୍କୁଲର ପାଇଖାନା ସଫା କରୁଥିବା ଭିଡିଓ ପଦାକୁ ଆସିଛି ।ଏହା ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ନିଜ ନିର୍ବାଚନୀ ମଣ୍ଡଳୀ ନିମାପଡା ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷାଙ୍କ ନିଜ ପଂଚାୟତ ଧଳେଶ୍ୱର ପଂଚାୟତରେ ଏଭଳି ଘଟଣା ଘଟିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶନିବାର ସକାଳୁଆ ସ୍କୁଲ,ପିଲା ସ୍କୁଲକୁ ଆସିଛନ୍ତି କିନ୍ତୁ ପାଠପଢା ସମୟରେ ସ୍କୁଲ ପରିସରରେ ଥିବା ପାଇଖାନାକୁ ସଫା କରିବାକୁ ଅରିଲୋ ସ୍କୁଲର ଜନୈକା ଶିକ୍ଷୟତ୍ରୀ ପିଲାମାନଙ୍କୁ ନିର୍ଦେଶ ଦେଇଥିଲେ ।ମାଡ ଭୟରେ କେତେକ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ଥିବା ନଳକୂପରୁ ବାଲତି ବାଲତି ପାଣିମାରିବା ପରେ ତାକୁ କଷ୍ଟମଷ୍ଟେ ବୋହିନେଇ ପାଇଖାନା ସଫେଇ କାର୍ଯ୍ୟ କରିଥିଲେ ।ଗତ ୪/୫ଦିନ ହେବ ମେଘୁଆ ଓ କୋହଲା ପାଗ ଲାଗିରହିଥିବା ବେଳେ ଛୋଟ ଛୋଟ ପିଲାମାନେ ସଂପୂର୍ଣ୍ଣ ଓଦା ହୋଇ ଶୀତରେ ପାଣିବୋହି ନେଇ ପାଇଖାନା ସଫା କରିବା ଘଟଣାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ସହଜେ ଗ୍ରହଣ କରି ପାରୁନାହାନ୍ତି ।ସ୍କୁଲର ଜନୈକା ଶିକ୍ଷୟତ୍ରୀ କହିବାରୁ ସେମାନେ ଶନିବାର ସକାଳ ୯ଟାରୁ ୧୦ ଟା ୧ଘଂଟା ଧରି ପାଣି ବୋହିନେଇ ପାଇଖାନା ସଫେଇ କରିଥିଲେ ଏବଂ ଆଗରୁ ଏଭଳି ଅନେକ ଥର ସ୍କୁଲର ପାଇଖାନା ସଫାକରିଛନ୍ତି ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।ତେବେ ଶନିିବାର ଦିନ ଜଣେ ମାତ୍ର ଶିକ୍ଷୟତ୍ରୀ ସ୍କୁଲରେ ଉପସ୍ଥିତ ଥିଲେ ବୋଲି ପିଲାମାନେ କହୁଥିବା ଶୁଣିବାକୁ ମିଳିଛି ।ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠିଛି ।ପିଲା ପାଣି ବୋହିନେଇ ପାଇଖାନା ସଫା କରୁଥିବାର ଦୃଶ୍ୟ ସଂପୃକ୍ତ ଶିକ୍ଷୟତ୍ରୀ ସ୍କୁଲ ବାରଣ୍ଡାରେ ଛିଡାହୋଇ ଉପଭୋଗ କରୁଥିବା ଭିଡିଓରୁ ସ୍ପଷ୍ଟ ଦେଖିବାକୁ ମିଳୁଛି ।କେତେକ ପିଲା ଅଧାଗଢା ଲାଟିନ ଘର ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଛିଡାହୋଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।ଯଦି ପିଲା ତଳକୁ ଖସି କୈାଣସି ଅଘଟଣ ଘଟେ ତେବେ ସେଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠୁଛି ।ଏହି ଘଟଣାକୁ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିବା ସହିତ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।ଏସଂପର୍କରେ ନିମାପଡା ବିଇଓ ବିଜୟ ବେହେରାଙ୍କୁ ଫୋନରେ ପଚାରିବାରେ ଏହି ଘଟଣା ମୋ ନଜରକୁ ଆସିଛି ।ସୋମବାର ସ୍କୁଲ ଖୋଲିବା ପରେ ଜଣେ ଏବିଇଓ ଓ ସିଆର୍ସିସି ଉକ୍ତ ସ୍କୁଲକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି ।ରିପୋର୍ଟ ଆସିଲେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply