ନିମାପଡା,୧୮ା୯ :ରାଜ୍ୟ ତଥା କେନ୍ଦ୍ର ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରି ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି ।ପ୍ରକୃତରେ ଏହି ଯୋଜନାର ସୁଫଳ ଚାଷୀ ପାଉନଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଅଛି ।ନିମାପଡା ବ୍ଲକ ଅଂଚଳରେ ବାତ୍ୟା ପରେ ବର୍ଷାର ଅଭାବ ତା ସାଙ୍ଗକୁ ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ।ଉକ୍ତ ବ୍ଲକର ବନ୍ୟା ପ୍ରଭାବିତ ହୋଇନଥିବା ଅନ୍ୟ ଯେଉଁ ପଂଚାୟତ ଗୁଡିକରେ ହଜାର ହଜାର ହେକ୍ଟର ଜମିର ଧାନ ଫସଲ ବଂଚିଥିଲା ତାହା ପାଣି ଅଭାବରୁ ଏବେ ନଷ୍ଟ ହେବାକୁ ବସିଛି ।
କୁଣ୍ଡେଇ ମାଇନର କେନାଲରୁ ବିନିସପୁର ସବ୍ ମାଇନାର କେନାଲ ବାହାରିଛି ।ଏହି ସବ୍ ମାଇନର କେନଲ ଉପରେ ନିଆଳୀ ବ୍ଲକର ରତନପୁର,ବିନିସପୁର ପଂଚାୟତ ଓ ନିମାପଡା ବ୍ଲକର ତୁଳସୀପୁର ପଂଚାୟତର ଚାଷୀ ମାନେ ନିର୍ଭର କରିଥାନ୍ତି ।ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନ ଚାଷ କରିଥିବା ବେଳେ ଧାନ ଥୋଡ ବାହାରିବା ଅବସ୍ଥାରେ ରହିଛି ।ଠିକ ଏତିକି ବେଳେ ଧାନ ଚାଷ ପାଇଁ ପାଣି ସମସ୍ୟା ସୃଷ୍ଟି କରିଛି ।କୁଣ୍ଡେଇ ମାଇନରରେ ପାଣି ଛଡାଯାଇଥିବା ବେଳେ ବିନିସପୁର ସବ୍ ମାଇନରେ କେନାଲରେ ପାଣି ଛଡାଯାଇନଥିବାରୁ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।
ଚାଷୀ ଓ ଭାଗଚାଷୀ ହାତଉଧାରୀ ଏବଂ ବିଭିନ୍ନ ବ୍ୟାଙ୍କରୁ ରୁଣ କରି ଧାନ ଫସଲ କରିଛନ୍ତି ।ତେବେ ଧାନ ଧୋଡ ବାହାରିବାକୁ ବସିଥିବା ବେଳେ ବର୍ଷାର ଅଭାବ ଦେଖାଦେଇଥିବା ବେଳେ ସବ୍ ମାଇନର କେନାରେ ପାଣି ଛଡାଯାଉନଥିବାରୁ ଧାନ ଜମି ସବୁ ଫାଟି ଆଁ କରି ଗଛ ଜଳିଯିବାକୁ ବସିଛି ।ଜମିକୁ ଜଳସେଚିତ କରିବା ପାଇଁ ନା ଅଛି ସରକାରୀ ଉଠା ଜଳସେଚନ ବ୍ୟବସ୍ଥା ।ଚାଷ କାର୍ଯ୍ୟ ପାଇଁ ପାଣି ସଂକଟକୁ ନେଇ ତୁଳସୀପୁର,ରତନପୁର ଓ ବିନସପୁର ପଂଚାୟତର ଚାଷୀ ନାନା ଆଶା ଆଶଙ୍କାରେ ରହିଛନ୍ତି ।କେନାଲ ସଫେଇ ଓ ମରାମତି ଆଳରେ ଜଳସଂପଦ ବିଭାଗ ଓ ପାଣି ପଂଚାୟତ ପକ୍ଷରୁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ।ତେବେ ତାହା ଚାଷୀଙ୍କ ହିତରେ ଆସୁନଥିବା ଅଭିଯୋଗ ହେଉଛି ।
ଚାଷୀ ପ୍ରତିବର୍ଷ ଜଳକର ଦେଉଥିବା ବେଳେ ବିଭଗୀୟ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ନିଜ ନିଜର ଜମିକୁ ଜଳସେଚିତ କରିପାରୁନାହାନ୍ତି ।ପାଣି ଜମିରେ ନଥିବାରୁ ଚାଷ ଜମି ସବୁ ଶୁଖିଲା ପଡିଥିବା ଏବଂ ଫସଲ ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଥିବା ତୁଳସୀପୁର ପଂଚାୟତ ନୋମିନୀ ବିଭୂତି ଭୂଷଣ ଦାଶ,ଚାଷୀ ପ୍ରଦୀପ ଦାସ,ବାବୁଲି ଚରଣ ଦାସ,ଗୈାରାଙ୍ଗ ଦାସ,ବିଜୟ କୁମାର ପରିଡା,ଗଗନ ମିଶ୍ର,ରଂଜନ ସାହୁ,ଡମ୍ପୁରଧର ମିଶ୍ର,ପ୍ରକାଶ ଚନ୍ଦ୍ର ସାହୁ,ବ୍ରହ୍ନାନନ୍ଦ ବାରିକ,ସୁଦର୍ଶନ ଦାସ,ଯୁଧିଷ୍ଠିର ଦାସ,କୈଳାଶ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି ।ନିଆଳି ପ୍ରାଚୀ ସବଡିଭିଜନ ସହକାରୀ ଯନ୍ତ୍ରୀ ଅଗଣୀ ଚରଣ ବେହେରାଙ୍କୁ ପଚାରିବାରେ କେନାଲର ରକ୍ଷଣାବେକ୍ଷଣ ଏବଂ ପାଣି ଛାଡିବାର ଦାୟିତ୍ୱ ପାଣି ପଂଚାୟତ ଅଧିନରେ ରହିଛି ।
ତେବେ ସେମାନେ ଠିକ ଭାବେ କର୍ଯ୍ୟ ସଂପାଦନ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ପ୍ରକାଶ କରିଛନ୍ତି ।ଶନିବାର ଉକ୍ତ ସବ୍ମାଇନର କେନାଲରେ ପାଣି ଛଡାଯିବ ବୋଲି ସେ କହିଛନ୍ତି
