Odisha news

ନିମାପଡାରେ ବେଧଡକରେ ଚାଲିଛି ଚୋରା ନିଶାକାରବାର

0

ନିମାପଡା,୨୫ା୮ା(ସବୁ୍ୟ)ନିମାପଡାରେ ବେଧଡକରେ ଚୋରା ନିଶାକାର ଚାଲିଆସୁଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ବିଭାଗ ଚୁପ ବସିଥିବା ନେଇ ଅଭିଯୋଗ ହେଉଛି ।ନିମାପଡା ବଜାର ସମେତ ଚାରିଛକ,ଖେଲାର,ବଳଙ୍ଗା,ବାମନାଳ,ହରିପୁର ଆଦି ସ୍ଥାନରେ ଖୁଲମଖୁଲାରେ ଚୋରା ବ୍ରାଉନସୁଗାର,ଦେଶୀ,ବିଦେଶୀ ମଦ,ଗଂଜେଇ ଆଦି ନିଶାଦ୍ରବ୍ୟ ବ୍ୟବସାୟ ଚାଲିଛି ।ଗ୍ରାମାଚଂଳ ଠାରୁ ସହରାଂଚଳର ଛକ ବଜାର ସବୁଠାରେ ଚୋରା ନିଶା ବେପାରୀମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି ।

ସମଗ୍ର ନିମାପଡା ଅଂଚଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ଚୋରା ନିଶାଦ୍ରବ୍ୟ କାରବାର ଚାଲିଛି ।ବେକାରୀ ଓ ଶିକ୍ଷିତ ଯୁବପିଢୀ ବ୍ରାଉନସୁଗାର ଖାଇବା ପାଇଁ ପାଗଳ ପ୍ରାୟ ହେଉଛନ୍ତି ।ଛକ ବଜାରରେ ଥିବା ପାନ ଦୋକାନ ଠାରୁ ଆରମ୍ଭ କରି ହେଟେଲ,ଢାବାରେ ଦେଶୀ ବିଦେଶୀ ମଦ,ଗଂଜେଇ ଓ ଗଂଜେଇ ଭର୍ତି ସିଗାରେଟ ବିକି୍ର ହେଉଥିବା ଜଣାପଡିଛି ।ଏପରିକି ନିମାପଡା ଅଂଚଳରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।କେତେକ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନର ମାଲିକ ମାନେ ମଦର ବିକ୍ରି ବୃଦ୍ଧି ପାଇଁ ଚୋରା ନିଶା ବ୍ୟବସାୟୀଙ୍କ ଶରଣ ପଶିଥିବା ଚର୍ଚ୍ଚା ହେଉଛି । ସେମାନେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଚୋରା ନିଶାବେପାରୀଙ୍କୁ ଖୋଲା ବଜାରରେ ବିକ୍ରୟ ପାଇଁ ଯୋଗାଇ ଦେଉଥିବା ଜଣାପଡିଛି ।ବେକାରୀ ଶିକ୍ଷିତ ଯୁବପିଢୀ ନିଶାଖାଇ ନିଜ ଭବିଷ୍ୟତ ନଷ୍ଟ କରୁଥିବାରୁ ଅଭିଭାକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ନିମାପଡା ଏନ୍ଏସି ଅଂଚଳର ଏକ ଭଡା ଘରେ ଅବକାରୀ ବିଭାଗ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ତାହା ନରହିବା ସଙ୍ଗେ ସମାନ ବୋଲି ଲୋକେ କହୁଛନ୍ତି ।ଉକ୍ତ କାର୍ଯ୍ୟାଳୟଟି ଅଧିକାଂଶ ଦିନ ବନ୍ଦ ରହୁଥିବା ଏବଂ କାର୍ଯ୍ୟାଳୟ ସମ୍ମୁଖରେ ସାଇନ୍ ବୋର୍ଡଟିଏ ନଥିବାରୁ ଜନସାଧାରଣ କାର୍ଯ୍ୟାଳୟ ଅଛିକି ନାହିଁ ତାହା ଜାଣି ପାରୁନାହାନ୍ତି ।ଅବକାରୀ ଓ ପୁଲିସ ମଝିରେ ମଝିରେ ନାମକୁ ମାତ୍ର କେତେକ ଛୋଟ ଛୋଟ ନିଶା ବ୍ୟବସାୟୀଙ୍କ ଉପରେ ଚଢାଉ କରି ନିଜର ଦାୟିତ୍ୱ ସାରିଦେଉଥିବା ଅଭିଯୋଗ ହେଉଛି ।ଖାଲିସେତିକି ନୁହେଁ ଚୋରା ନିଶା ବେପାରୀଙ୍କ ସହିତ କୁଆଡେ ଅବକାରୀ,ପୁଲିସର ମଧୁଚନ୍ଦ୍ରିକା ରହିଥିବା ଅଭିଯୋଗ ହେଉଛି ।କରୋନା ସମୟରେ ଛକ ବଜାରରେ ଥିବା ହେଟେଲ,ଢାବା ଓ ଫାଷ୍ଟ ଫୁଡରେ ଏକାଧିକ ଲୋକ ସିଟରେ ବସି ଖାଇ ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।ତେବେ ସଂଧ୍ୟା ହେଲେ ହୋଟେଲ,ଢାବା ଓ ଫାଷ୍ଟଫୁଡ ଗୁଡିକ ମଦବାର ସଦୃଶ୍ୟ ହୋଇପଡୁଛି ।ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply