ନିମାପଡା, :ନିମାପଡା ଏନ୍ଏସି ପକ୍ଷରୁ ଆଜି ୯ଜଣ ବ୍ୟବସାୟୀଙ୍କୁ ବ୍ଲକ ଛକରେ ନିର୍ମତ ହୋଇଥିବା ନୂତନ ଭେଣ୍ଡିଂଜୋନ ଆଜି ବଂଟନ କରାଯାଇଛି ।ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୯ଜଣ ବ୍ୟବସାୟୀଙ୍କୁ ଭେଣ୍ଡିଜୋନର ଏଗ୍ରିମେଂଟ ପତ୍ର ପ୍ରଦାନ କରିଥିଲେ । ଅନେକ ଶିକ୍ଷିତ ବେକାରୀ ଯୁବକ ବ୍ଲକ ଛକରେ ଥିବା ସରକାରୀ ଜାଗାରେ ଖଣ୍ଡିଏ ଖଣ୍ଡିଏ କ୍ୟାବିନ ପକାଇ ବ୍ୟବସାୟ କରି ଆସୁଥିଲେ ।ତେବେ ଗତ କିଛି ମାସ ତଳେ ପ୍ରଶାସନ ପକ୍ଷରୁ ତାଙ୍କ କ୍ୟାବିନ ଗୁଡିକୁ ଉଚ୍ଛେଦ କରାଯାଇଥିଲା ।
ଏବଂ ସେମାନଙ୍କୁ ଭେଣ୍ଡିଂଜୋନ ନିର୍ମାଣ କରାଯାଇ ଯୋଗାଇ ଦିଆଯିବ ବୋଲି ଏନ୍ଏସି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ୧୮ଟି ଭେଣ୍ଡିଂଜୋନ ନିର୍ମାଣ କରାଯିବା ପାଇଁ ଟେଣ୍ଡର କରାଯାଇଥିବା ବେଳେ ୧୩ଟି ଭେଣ୍ଡିଂଜୋନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ୯ଜଣ ବ୍ୟବସାୟୀଙ୍କୁ ଭେଣ୍ଡିଂଜୋନ ପ୍ରଦାନ କରାଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶୀଶେଖର ମିଶ୍ର,ବିଜେଡି ନଗର ସଭାପତି ଜୀବନାନନ୍ଦ ମହାପାତ୍ର,ବିଜୟ ଗ୍ରହଚାର୍ଯ୍ୟ ପ୍ରମୁଖ ଉପସ୍ଥିତଥିଲେ ।
