ନୀଳଗିରି : ନୀଳଗିରି ରାଜବାଟୀ ସମ୍ମୁଖରେ ଥିବା କେତୋଟିଗଛ ମଧ୍ୟରୁ ବଉଳ ଆମ୍ବ ଆଦି ତିନୋଟି ଗଛକୁ କେହି କାଟି ନେଇଥିବା ଜଣା ପଡ଼ିଥିଲା । ଗଛଗୁଡ଼ିକ କାହାରି କିଛି ଅସୁବିଧା କରୁନଥିବା ବେଳେ ଗ୍ରୀଷ୍ମ ଓ ବର୍ଷା ସମୟରେ ଲୋକମାନେ ଏହି ଗଛତଳେ ଆଶ୍ରୟ ନେଉଥିଲେ ।
ଗଛଗୁଡ଼ିକ କିଏ ଓ କାହିଁକି କାଟିନେଲା ସେ ବାବଦରେ ନୀଳଗିରିର ବୁଦ୍ଧିଜିବୀ ଓ ଜନସାଧାରଣ ପ୍ରଶ୍ନ ଉଠାଇବା ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ନୀଳଗିରି ଉପଜିଲ୍ଲାପାଳ, ନୀଳଗିରି ତହସିଲଦାର, ନୀଳଗିରି ଥାନା, ନୀଳଗିରି ଏନ୍ଏସି ପ୍ରଭୃତି ସ୍ଥାନରେ ଏବାବଦରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା ।
ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନୀଳଗିରି ଗସ୍ତରେ ଆସିଥିବା ବେଳେ ଘଟଣାଟି ତାଙ୍କ ନଜରକୁ ଆସିବାରୁ ସେ ଏ ବାବଦରେ ତଦନ୍ତ କରି ରିପୋର୍ଟ ଦେବାକୁ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ କହିଛନ୍ତି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନୀଳଗିରି ପୋଲିସ, ବନବିଭାଗ ଓ ତହସିଲଦାର ଅଶେଷ କୁମାର ନାୟକ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ।
