ନୀଳଗିରି : ଖରାପ ପରିବା ଦେବା ଘଟଣାକୁ ନେଇ ରବିବାର ଦିନ ପୁନ୍ଦାଳରେ ଥିବା ବାବା ଇଟା ଭାଟିରେ ତୁମୁଳ କାଣ୍ଡ ଘଟି ଗୁରୁତର ଅବସ୍ଥାରେ ୩ଜଣ ଶ୍ରମିକ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ବାବା ଇଟାଭାଟିର ମାଲିକ କଟ ପତି ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଆଣି ନିଜ ଇଟା ଭାଟିରେ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଇ ଆସୁଥିବା ବେଳେ ଶ୍ରମିକମାନଙ୍କର ଖାଇବା, ରହିବା ଦାୟିତ୍ୱ ଖୋଦ୍ ମାଲିକ ବୁଝିଥାନ୍ତି । ପ୍ରତି ଶ୍ରମିକଙ୍କ ପରିବାରକୁ ଭାଟି ମାଲିକ ପନିପରିବା ଯୋଗାଇ ଦେଉଥିବା ବେଳେ ଭାଟିର ସର୍ଦ୍ଦାର ମନୋଜ ସିଂ ଉକ୍ତ ଭାଟିରେ କାର୍ଯ୍ୟକରୁଥିବା ପ୍ରଦୀପ ବିନ୍ଧାଣୀ ପରିବାରକୁ ଖରାପ (ପ·) ପନିପରିବା ଦେବାରୁ ପ୍ରଦୀପ ପ୍ରତିବାଦ କରିଥିଲା । ସମସ୍ତଙ୍କୁ ଭଲ ପରିବା ଦେଉଛ, ଆମ୍ଭ ପରିବାରକୁ କଣ ପାଇଁ ଖରାପ ପରିବା ଦେଉଛ ବୋଲି ପ୍ରଦୀପ କହିବାରୁ ଉତ୍କ୍ଷିପ୍ତ ହୋଇ ମନୋଜ ସିଂ, ରବି ସିଂ, ବାବାଜି ସିଂ ଓ ବାପି ସିଂ କାଠ ଫାଳିଆ ଓ ଇଟାରେ ପ୍ରଦୀପକୁ ପିଟିବାରୁ ତାର ପୁଅ ପାକୁଲୁ , ଜ୍ୱାଇଁ ପ୍ରକାଶ ଓ ବାଙ୍ଗୁରୁ ସିଂ କଣ ପାଇଁ ତାଙ୍କୁ ପିଟୁଛନ୍ତି ବୋଲି କହିବାରୁ ପାଲଟା ୩ଜଣକୁ ରୀତିମତ ପିଟିଥିଲେ । ଗୁରୁତର ଅବସ୍ଥାରେ ୩ଜଣକୁ ୧୦୮ ଯୋଗେ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଛି । ଉଦଳା ଅଞ୍ଚଳର ପ୍ରଦୀପ ବିନ୍ଧାଣୀର ପୁଅ ପାକୁଲୁ ଭୂବନେଶ୍ୱର ଅଞ୍ଚଳର ପ୍ରକାଶ ବେହେରା ଓ ଦେବା ଗାଁ ପାଟଶାଣିପୁର ଅଞ୍ଚଳର ବାଙ୍ଗୁରୁ ସିଂ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ୩ ଗୁରୁତର ପରିବାର ଲୋକେ ଘଟଣା ବାବଦରେ ନୀଳଗିରି ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ଇଟାଭାଟି ମାଲିକଙ୍କ ଜ୍ଞାତସାରରେ ହେଉ କିମ୍ବା ଅଜ୍ଞାତରେ ହେଉ ନିରୀହ ଶ୍ରମିକମାନଙ୍କୁ ଅମାନୁଷିକ ଭାବେ ଇଟାଭାଟିର ସର୍ଦ୍ଦାର ସମେତ ଗୁଣ୍ଡାମାନେ ଦବଙ୍ଗଗିରି ଦେଖାଇବା ଇଟାଭାଟିର ମାଲିକର ମାଲିକ ପଣିଆକୁ ପଦାରେ ପକାଇଛି । ଘଟଣାକୁ ଗୁରୁତ୍ୱ ଦେଇ ଜିଲ୍ଲା ଶ୍ରମ ଅଧିକାରୀ ଦାଦନ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି । ଏ ବାବଦରେ ଇଟାଭାଟି ମାଲିକଙ୍କୁ ପଚାରିବାରୁ ଉଭୟ ପକ୍ଷ ମଦ୍ୟପାନ କରି ଏଭଳି କାଣ୍ଡ କରିଛନ୍ତି ବୋଲି କହିଛନ୍ତି ।
Comments are closed.