ନୀଳଗିରି -୦୬/୦୧: ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ନେଇ ଏକ ଭୋଜିଭାତର ଆୟୋଜନ ଚାଲିଥିବା ବେଳେ ଆସିଥିବା ବନ୍ଧୁଙ୍କର ଏକ ପିଲା ଅନ୍ୟ ଲୋକର ବାଡ଼ିକୁ ଅଜାଣତରେ ପଶିଯିବାରୁ ଉତ୍କ୍ଷିପ୍ତ ହୋଇ ଭୋଜି ଆୟୋଜନ କରୁଥିବା ମିନତୀ ପାତ୍ର ଓ ସ୍ୱାମୀ ବସନ୍ତ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୩ ତାରିଖ ଅପରାହ୍ନ ସମୟରେ ଚଷାଖଣ୍ଡ ଗ୍ରାମର ମିନତୀ ପାତ୍ରଙ୍କର ପୁତ୍ର ବଧୂଙ୍କର ଜଳଖିଆ ଭୋଜି ଚାଲିଥିବା ବେଳେ ହଠାତ୍ ଅଜାଣତରେ ଆସିଥିବା ବନ୍ଧୁବାନ୍ଧବଙ୍କର ଜଣେ ପିଲା ଉକ୍ତ ଗ୍ରାମର ଶ୍ରୀକାନ୍ତ ପାତ୍ରଙ୍କ ବାଡ଼ି ମଧ୍ୟକୁ ଚାଲିଯିବାରୁ ପୂର୍ବ ଶତୃତାକୁ କେନ୍ଦ୍ର କରି ଶ୍ରୀକାନ୍ତ ପାତ୍ର, ପଦ୍ମାବତୀ ପାତ୍ର, ଶ୍ରୀକାନ୍ତଙ୍କ ପୁତ୍ର ହୃଷିକେଶ ପାତ୍ର, ଝିଅ ଦୁତିସ୍ମିତା ପାତ୍ର ମିଳିତ ଭାବେ ମିନତୀ ପାତ୍ରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଧା, ଗୋଇଠା, ସହ ଠେଙ୍ଗାରେ ପିଟିଥିବାର ମିନତୀ ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀକାନ୍ତ ପାତ୍ର ଜୀବନରୁ ମାରି ଦେବାର ଧମକ ଦେବା ସହ ଘର ନିଅାଁ ଲଗାଇ ଜାଳି ଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି । ମିନତୀ ର ସ୍ୱାମୀ ବସନ୍ତ ପାତ୍ର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ । ସୂଚନା ଥାଉକି ପଦ୍ମାବତୀ ପାତ୍ରଙ୍କ ନାମରେ ନୀଳଗିରି କୋର୍ଟରେ ସି.ଟି. କେଶ ନଂ. ୨୦୭/୧୭ ବି·ରାଧିନ ଥିବାର ଜଣାପଡ଼ିଛି । ଏ ନେଇ ନୀଳଗିରି ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।
