ନୀଳଗିରି-୦୬/୦୧ : ବାଲେଶ୍ୱର ଜିଲ୍ଲାର ନୀଳଗିରି ଜଗନ୍ନାଥ ମନ୍ଦିର ଓ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ବାଲେଶ୍ୱର ଜିଲ୍ଲାପାଳ ବୁଧବାର ଦିନଠାରୁ ଖୋଲିବା ନିଦେ୍ର୍ଦଶ ଜାରି କରିଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି । କୋଭିଡ଼୍ ନିୟମକୁ ମାନି ବୁଧବାର ସକାଳ ବହୁ ଭକ୍ତ ନୀଳଗିରି ଜଗନ୍ନାଥ ମନ୍ଦିର ଓ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଛି ।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ମଧ୍ୟରେ ଭକ୍ତମାନେ କାଳିଆ ଦର୍ଶନ କରୁଥିବାରୁ ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ଆନନ୍ଦ ଉଲ୍ଲାସର ବାତାବରଣ ଦେଖିବାକୁ ମିଳିଛି । ସେହିପରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ମଧ୍ୟ ବହୁ ଭକ୍ତଙ୍କ ସମାଗମ ପରିଲଖିତ ହୋଇଛି ।
ଦୀର୍ଘ ୯ ମାସ ପରେ ଜଗନ୍ନାଥ ମନ୍ଦିର ଓ ପଞ୍ଚଲିଙ୍ଗେଶ୍ୱର ଖୋଲିବା ନେଇ ପୂଜକ ମାନେ ମଧ୍ୟ ସରକାରଙ୍କ ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ୯ ମାସ ପରେ ତିନି ଠାକୁରଙ୍କ ଦର୍ଶନ ପାଇଲାପରେ ବହୁ ଜଗନ୍ନାଥ ଭକ୍ତ ଅତି ଆନନ୍ଦରେ ବିଭୋର ହୋଇ ଆଖି ଛଳଛଳ କରିଥିବାର ଦେଖିବାକୁ ମିଳିଛି ।
