ନୀଳଗିରି -୦୬/୦୧ : ବୟସ ପାଖାପାଖି ୮୦ ବର୍ଷ । କମର ପଡ଼ିଗଲାଣି , ନଇଁ ନଇଁ ବାଡିକୁ ଆସରା କରି ଜୀବନ କଟୁଛି । ବାପା ମାଆ ମଲାପରେ ଅବିବାହିତ ହୋଇ ରହିଗଲା, ପରିବାର ସଦସ୍ୟ କହିଲେ ଏକାକୀ । ୧୯୭୨ ମସିହା ବାତ୍ୟାରେ ନୀଳଗିରି ବ୍ଲକର ମହିଷାପଟ୍ଟା ପଞ୍ଚାୟତର ତଳକୁଆନାଳ ଗ୍ରାମରେ ବସବାସ କରୁଥିବା ଗାଁ ଲୋକେ ବନ୍ୟାରେ ଘରଦ୍ୱାର ସଂପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଉକ୍ତ ଗ୍ରାମରେ କେହି ରହୁନଥିବା ବେଳେ ଏକାକୀ ରହୁଥିଲେ ଗୋରା ବିଶ୍ୱାଳର ଅବିବାହିତ ଝିଅ ଦୁତିମଣୀ । କୁଆଁରୀ ଜୀବନର ସ୍ୱପ୍ନ ଦେଖୁଥିବା ବେଳେ ହଠାତ୍ ଜୀବନର ସାହା ଭରଷା ପାଲଟିଥିବା ବାପା ଗୋରାର ମୃତୁ୍ୟ ହୋଇଥିଲା ।
ଦୁତି ଯେତେବେଳେ ୩-୪ ବର୍ଷ ହୋଇଥିଲା ମା କୁବି ହରାଇ ଦେଇଥିଲା । ଆରମ୍ଭ ହେଲା ଦୁତିମଣୀର ଜୀବନର ସଂଘର୍ଷ , ସଂଘର୍ଷ ସହିତ ଲଢ଼ିବାକୁ ଯାଇ ନିଜର କୁଆଁରୀ ଜୀବନକୁ ଭୁଲି ଯାଇ ଆଗକୁ ଆଗକୁ ମାଡ଼ିଚାଲିଥାଏ ନିଜର ଭିଟାମାଟି ତଳକୁଆନାଳକୁ ପାଶୋରୀ ନଯାଇ ଜୀବନ ଅତିବାହିତ କରିଚାଲିଥାଏ ଏକାକୀ । ୧୯୭୨ ମସିହାରେ ବାତ୍ୟାରେ ପୈତୃକ ବାସ ଘରଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଝାଟିମାଟି ଘରଟିଏ କରି ଜୀବନ କାଟୁଥିବା ବେଳେ ଏବେ ଦୁତିମଣୀକୁ ୮୦ ବର୍ଷ ଟପିଲା । ୭/୮ ବର୍ଷ ପୂର୍ବରୁ ହାତୀପଲ ଝାଟିମାଟି ଘରଟିକୁ ଭାଙ୍ଗି ଦେଇଥିବା ବେଳେ ଆର୍ଥିକ ଅନାଟନ ଯୋଗୁଁ ଏବେ ଜରି ଛପର ତଳେ ଜୀବନ କାଟୁଛି ଦୁତିମଣୀ ।
ଦୁତିର ଜରିଛପର ଘରକୁ ଯିବା ପାଇଁ ରାସ୍ତା ନଥିବା ବେଳେ ଘାଗରା ନଦୀ ଦେଇ ଯାତାୟତ କରୁଛି । ସନ୍ଧ୍ୟା ହେଲେ ଦୁତିମଣୀ ବୋତଲର ତିଆରି ଡ଼ିବିରି ଆଲୁଅ ଲଗାଇ ଏକାକୀ ନିଛାଟିଆ ରାତି ସାଙ୍ଗକୁ ବଣୁଆ ଭାଲୁଙ୍କ ଚଲାବୁଲାକୁ ପଲିଥିନ୍ ଘରେ ରହି ଦେଖୁଥାଏ । ମାଗିଯାଚି ଯାହା ଆଣେ ତାହାକୁ ହିଁ ଖାଇଥାଏ । କେବଳ ୫୦୦ ଟଙ୍କା ଭତ୍ତା ହିଁ ଦୁତିମଣୀର ସାହା ଭରଷା । ସତେ ଯେପରି ଦୁତିମଣି ନିର୍ଜନ ଦ୍ୱୀପରେ ଜୀବନ କାଟୁଛି ? ନିକଟରେ ନା ଅଛି ଘର, ନା ଲୋକ ମାନଙ୍କ ଚଳପ୍ରଚଳ ।
୮୦ ବର୍ଷ ବିତିଯାଇଥିବା ବେଳେ କେହି ବି ନିର୍ବାଚିତ ପ୍ରତିନିଧି ଦୁତିଙ୍କ ପାଇଁ ସରକାରଙ୍କ ଆବାସ ଘରଟିଏ ଯୋଗାଇ ପାରିନାହାନ୍ତି , ଏପରିକି ରେସନ କାର୍ଡଟିଏ ମଧ୍ୟ ପାଇବାରୁ ବଞ୍ଚିତ ହୋଇଥିବାର ଛଳଛଳ ଆଖିରେ ଦୁତି ପ୍ରକାଶ କରିଛି । ନିର୍ବାଚନ ସମୟରେ ସବୁ ନେତା ସବୁ ପ୍ରତିଶୃତି ଦେଇଥାନ୍ତି , ମାତ୍ର ପରେ ସବୁ ଭୁଲିଯାଇଥାନ୍ତି ।
ମାତ୍ର ଦୁତିମଣୀର ଭାଗ୍ୟବି ପରିବର୍ତ୍ତନ ହୋଇ ପାରିନାହିଁ , ରାଜ୍ୟ ସରକାର ବୟସ୍କ ଲୋକ ମାନଙ୍କ ଭତ୍ତା , ଘର ଦେବାର ବ୍ୟବସ୍ଥା କରିଥିବା ବେଳେ ଦୁତିମଣୀ ୨ କି.ମି. ବାଡ଼ିଧରି ଭତ୍ତାପାଇଁ ପଞ୍ଚାୟତ ଅଫିସ ଯାଉଥିବା ପ୍ରକାଶ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଅଧେଶ୍ୱର ସେଠୀ ବହୁବାର ଦୁତି ପାଇଁ ଚାଉଳ, ଶାଢ଼ୀ, ଘରର ପଲିଥିନ ଯେଗାଇ ଦେଉଥିବା ବେଳେ ତୁରନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୁତିମଣୀଙ୍କୁ ସରକାରୀ ଆବାସ ଘର ଓ ରେସନକାର୍ଡ ପ୍ରଦାନ ପାଇଁ ଶଙ୍କର ଖଟୁଆ ,ଯଦୁନାଥ ରାଉତ ଦାବି କରିଛନ୍ତି ।
ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ନୀଳଗିରି ଉପ-ଜିଲ୍ଲାପାଳ ଦୁତିମଣୀଙ୍କୁ ଆବାସ ଘର ଓ ରେସନକାର୍ଡଟିଏ ପ୍ରଦାନ କଲେ ହୁଏତ ଦୁତିମଣୀର ଅବଶିଷ୍ଟ ଜୀବନ ସୁଖରେ କଟି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି