ନୀଳଗିରି : ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ରାସ୍ତା କାମ ବାବଦ ଅର୍ଥକୁ ହରିଲୁଟ କରିଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ବର୍ଷା ଦିନେ ଚାଲିଛି ପିଚୁରେ ରାସ୍ତା ନିର୍ମାଣ କାମ । ଏପରିସ୍ଥିତିରେ ରାସ୍ତାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ ନୀଳଗିରି ଉପକଣ୍ଠ ଅଧିନ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତାର ସାନପାଟପୁର ପୂର୍ତ୍ତବିଭାଗ ରାସ୍ତାଠାରୁ ଚଷାଖଣ୍ଡ ପର୍ଯ୍ୟନ୍ତ ୫ କି.ମି. ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା ।
ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅନୁଦାନପ୍ରାପ୍ତ ଓ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୨କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଅଟକଳ ମୂଲ୍ୟରେ ୩/୪ଦିନ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିବା ବିଷୟ କିଛି ଗ୍ରାମବାସୀ ଅଭିଯୋଗ କରିଥିଲେ । ରାସ୍ତାରୁ ଫଡ଼ଫଡ଼ା ପିଚୁ ସବୁ ଉଠିଯାଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବାବଦରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦି୍ରକା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଯଦି ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ତେବେ ପ୍ରକୃତ ତଥ୍ୟ ପଦାକୁ ଆସିବା ସହ ଦୁର୍ନୀତିର ପର୍ଦ୍ଦାଫାଶ ହେବବୋଲି ସାଧାରଣରେ ମତପ୍ରକାଶ ପାଉଛି ।
