ନୀଳଗିରି-୧୯/୦୭ ; – କୁଲଡିହା ଅଭୟାରଣ୍ୟରେ ପାଦଦେଶ ଗାଁ ଗୁଡ଼ିକରେ ମଣିଷମରା ଦନ୍ତାହାତୀଟି ଅନେକ କ୍ଷୟକ୍ଷତି ଘଟାଉଥିବା ବେଳେ ଅନେକ ଅମୂଲ୍ୟ ଜୀବନକୁ ମଧ୍ୟ ନେଇଛି । ଏଥିପାଇଁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ । କ୍ଷୟକ୍ଷତି ନେଇ ଅଂଚଳବାସୀ ବହୁବାର ବନବିଭାଗ ଠାରେ ଅଭିଯୋଗ କରି ଆସୁଥିଲା ବେଳେ ବନବିଭାଗ ନୀରବଦ୍ରଷ୍ଟା ପାଲଟିଥିଲେ । ମାତ୍ର ଏହି ମଣିଷମରା ଦନ୍ତାହାତିଟି ନୀଳଗିରି ବନବିଭାଗ ଅଧିନସ୍ଥ ବାରାଗଡ଼ିଆ ଗ୍ରାମର ପୁରସ୍ତମ ସିଂଙ୍କ ବାଡ଼ି ଘେର ମଧ୍ୟରେ ମରି ପଡ଼ିଥିଲା । ମରିବା ସମୟରେ ଦନ୍ତାହାତିଟି ରାତିରେ ଗର୍ଜନ କରିଥିବାର ଶୁଣିବାକୁ ପାଇଥିଲେ । ସକାଳେ ପୁରସ୍ତମ ବାଡ଼ିକୁ ଯାଇଥିବା ବେଳେ ମଣିଷମରା ଦନ୍ତାଟି ମରି ପଡ଼ିଥିବାର ଦେଖିବାକୁ ପାଇଥିଲେ । ଖବର ପ୍ରସାର ହେଲାପରେ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ । ପରେ ନୀଳଗିରି ବନବିଭାଗକୁ ଖବର ଦେବା ପରେ ବାଲେଶ୍ୱର ଡି.ଏଫ.ଓ. ଆୟୁଷ ଜୈନ, ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା, ଫରେଷ୍ଟର ଶ୍ରୀଧର ଲେଙ୍କା, ଫରେଷ୍ଟଗାର୍ଡ ଘଟଣାସ୍ଥଳରେ ପହଂଚି ମୃତ ଦନ୍ତାହାତୀର ମୃତୁ୍ୟର କାରଣ ପରଖିଥିଲେ । ତେବେ ଉକ୍ତ ଦନ୍ତାହାତୀଟି ବିଷକ୍ରିୟାରେ ମୃତୁ୍ୟବରଣ କରିଛି କି ବୟସାଧିକ ଯୋଗୁଁ ମରିଛି ତାହାକୁ ନେଇ ବନବିଭାଗ ଦ୍ୱନ୍ଦରେ ପଡ଼ିଛି । ଘଟଣାସ୍ଥଳରେ ପଶୁଡାକ୍ତର ପହଂଚି ମୃତ ଦନ୍ତାହାତୀର ଶବବ୍ୟବଚ୍ଛେଦ କରାଇଲା ପରେ ଦନ୍ତାହାତୀଟିକୁ ପୋତି ଦିଆଯାଇଛି । ତେବେ ସୂଚନାଥାଉକି ୧ବର୍ଷ ମଧ୍ୟରେ ୪ଟି ହାତୀଙ୍କର ମୃତୁ୍ୟ ଘଟିଥିବା ବେଳେ ବନବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଯଦି ବନବିଭାଗ ହାତୀ ମୃତୁ୍ୟ ଉପରେ ତର୍ଜମା ନ କରେ ଆଗାମୀ ଦିନରେ କୁଲଡିହା ଅଭୟାରଣ୍ୟରୁ ଧୀରେଧୀରେ ହାତୀବଂଶ ଲୋପ ପାଇବବୋଲି ପରିବେଶବିତ୍ ମାନେ ଆଶା ପ୍ରକଟ କରିଛନ୍ତି
