ଭଞ୍ଜନଗର : ଦୀର୍ଘଦିନରୁ ରାଜ୍ୟର ବିଭିନ୍ନ ପୌରସଂସ୍ଥାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରସ୍ତୁତ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାରମ୍ବାର ତାଗିଦ କରି ଆସୁଥିବାବେଳେ ଏବେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ଭଞ୍ଜନଗର ଏନଏସିରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ହେବାକୁ ଥିବା ଉକ୍ତ ପ୍ଲାଣ୍ଟ କେଉଁଠି ପ୍ରତିଷ୍ଠା କରାଯିବ ସେଥିପାଇଁ ସ୍ଥାନ ମଧ୍ୟ ଚିହ୍ନଟ ସରିଛି । ବୁଧବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ଏଥିପାଇଁ ସ୍ଥିରୀକୃତ ସ୍ଥାନ ବୁଲି ଦେଖିଛନ୍ତି ।
ଜିଲ୍ଲାପାଳ କୁଲାଙ୍ଗେଙ୍କ ସହ ଉପଜିଲ୍ଲପାାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ ପ୍ରମୁଖ ଉକ୍ତ ସ୍ଥାନକୁ ବୁଲି ଦେଖିଥିବାବେଳେ ଦେଢମାସ ଭିତରେ ଉକ୍ତ ପ୍ଲାଣ୍ଟ ପ୍ରତିଷ୍ଠା ଯେପରି ଶେଷ ହେବ ସେଥିପାଇଁ ତାଗିଦ୍ କରିଛନ୍ତି । ସୂଚନାଯୋଗ୍ୟଯେ ଭଞ୍ଜନଗର ଏନଏସିିରେ ବର୍ଜ୍ୟବସ୍ତୁ ପରିଚାଳନାରେ ଘୋର ଅସୁବିଧା ସୃଷ୍ଟି ହେଉଛି । ବର୍ଜ୍ୟବସ୍ତୁ ପକାଇବାକୁ ଏନଏସିର ସେଭଳି ସ୍ଥାନ ନଥିବା କାରଣରୁ ଏନଏସି ସହର ତଥା ସହରତଳି ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ଡମ୍ପି କରୁଥିବାରୁ ଏହାକୁ ଅନେକ ସମୟରେ ସାଧାରଣ ଲୋକ ବିରୋଧ କରିଆସୁଛନ୍ତି ।
ଏବେ ବାଧ୍ୟହୋଇ ଏନଏସି କର୍ତ୍ତୃପକ୍ଷ ଲୋହରାଖଣ୍ଡି ନଦୀ ପଠାରେ ବର୍ଜ୍ୟବସ୍ତୁ ଡମ୍ପି କରୁଛନ୍ତି । ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ଉକ୍ରଟ ଗନ୍ଧ ହେଉଥିବାରୁ ଲୋକମାନେ ଏହାକୁ ମଧ୍ୟ ବିରୋଧ କରିଛନ୍ତି । ତେବେ ଏବେ ଉକ୍ତ ପ୍ଲାଣ୍ଟ ପ୍ରସ୍ତୁତ ହେଲେ ଏହାଦ୍ୱାରା ଏନଏସି ବର୍ଜ୍ୟବସ୍ତୁ ପରିଚାଳନା ସହଜରେ କରିପାରିବାସହ ପ୍ଲାଣ୍ଟରୁ ପ୍ରସ୍ତୁତ କମ୍ପୋଷ୍ଟକୁ ମଧ୍ୟ ପ୍ୟାକେଟ୍ କରି ବି୍ରକି କରି ନିଜର ଆୟପନ୍ଥାକୁ ଅଧିକ କରିପାରିବବୋଲି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉଲ୍ଲେଖ କରିଛନ୍ତି । ପ୍ରକାଶଥାଉକି ଜିଲ୍ଲାପାଳ କୁଲାଙ୍ଗେ ଭଞ୍ଜନଗର ସମେତ ସୋରଡା, ବେଲଗୁଣ୍ଠା, ଆସିକା, କବିସୂର୍ଯ୍ୟନଗର ଆଦି ଗସ୍ତ କରି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରସ୍ତୁତି ପାଇଁ ପ୍ରସ୍ତୁତ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏଥିସହ କରୋନା ମହାମାରୀର ମୁକାବିଲା ଦିଗରେ ପ୍ରଶାସନ କିଭଳି ନିଜକୁ ପ୍ରସ୍ତୁତ ରଖିଛି ତାର ମଧ୍ୟ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ।