Odisha news

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ତାଳଚେରରେ କୋଭିଡ-୧୯ ଡାକ୍ତରଖାନା ଉଦଘାଟିତ

0
ତାଳଚେର, ୨୦/୪ :- ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ଦେଖି ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ୩୫ଟି କୋଭିଡ-୧୯ ଡାକ୍ତରଖାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲାର ତାଳଚେର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସପିଟାଲରେ ଏକ କୋଭିଡ -୧୯ ଡାକ୍ତରଖାନା ଆଜି ଉଦଘାଟିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି l
 କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ମଧ୍ୟ ଭିଡିଓ କନଫରେନସିଂ ରେ ଯୋଗ ଦେଇଥିଲେ l
ତେବେ ଏହି ହସପିଟାଲ ଉଦଘାଟନ ପୂର୍ବରୁ ଆଜି ଏମସିଏଲ, ସମ ହସ୍ପିଟାଲ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ କୋଭିଡ-୧୯ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା l ରାଜ୍ୟର ଏହି ଅଗ୍ରଣୀ ଡାକ୍ତରଖାନାରେ କରୋନା ମୁକାବିଲା ପାଇଁ ୧୫୦ଟି ସାଧାରଣ ଶଯ୍ୟା ପ୍ରସ୍ତୁତ କରାଯିବା ସହ ୬ଟି ଆଇ.ସି.ୟୁ ଶଯ୍ୟା ରହିଛି l
 ଆଜି ହସପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ା.ଅଶୋକ ମହାପାତ୍ର, ପ୍ରଫେସର ଡ଼ା ଈଶ୍ୱର ଚନ୍ଦ୍ର ବେହେରା, ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ସେଣ୍ଟ୍ରାଲ ହସପିଟାଲ ସି ଏମ ଏସ ଡା଼ ମନୋଜ ବେହେରା,ଜଗନ୍ନାଥ କ୍ଷେତ୍ର ଜିଏମ ଏମ.ଜି. ବ୍ରହ୍ମପୁରକରଙ୍କ ସମେତ ପ୍ରଶାସନିକ ଅଧିକାରୀ, ଏମସିଏଲ କର୍ତ୍ତୃପକ୍ଷ, ସମ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ l
 ଏହି ଡାକ୍ତରଖାନା ଏମସିଏଲ    ଅନୁଦାନରେ ନିର୍ମିତ ଏବଂ ସମ ହସପିଟାଲ ଏହାକୁ ପରିଚାଳନା କରିବ l  ପୂର୍ବରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ୫ଟି ସଚିବ ଭି.କେ.ପାଣ୍ଡିଆନ ଏଠାରେ ପହଞ୍ଚି ଡାକ୍ତରଖାନାର ଭିତ୍ତିଭୂମିକୁ ଦେଖିବା ସହ କୋଭିଡ-୧୯ ମୁକାବିଲା ପାଇଁ କରାଯାଇଥିବା ସମସ୍ତ ପ୍ରସ୍ତୁତିକୁ ପରଖିଥିଲେ l ଏଥିସହ ଡାକ୍ତରଖାନା କର୍ତ୍ତୃପକ୍ଷ,ଜିଲ୍ଲା ପ୍ରଶାସନ ଓ ଏମ.ସି.ଏଲ ର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ l
ଏହି ସ୍ବତନ୍ତ୍ର ଡାକ୍ତରଖାନାରେ କରୋନା ରୋଗୀଙ୍କର ମାଗଣା ଚିକିତ୍ସା ସହ ରହିବା ଏବଂ ଖାଇବା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ମାଗଣା ।

Leave A Reply