ନେମାଳ ୨୮.୮ : ମହାନଦୀ – ଚିତ୍ରୋତ୍ପଳା ଦୀପାଂଚଳରେ ବର୍ଷା ଜଳ ବିଲବାଡିରେ ଜମି ରହିବା ସହ ହଜାର ହଜାର ହେକ୍ଟର ଧାନ ଫସଲ ଧୋଇଯାଇଛି । ଫଳରେ ଦୀପାଂଚଳର ଚାଷୀ ଏବେ ଚିନ୍ତାରେ ଥିବା ବେଳେ ଜଳ ନିଷ୍କାସନ ଏବେ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି । ଲଗାଣ ବର୍ଷା ଫଳରେ ସମଗ୍ର ଦୀପାଂଚଳର ବର୍ଷା ଜଳ ସାନ୍ତପୁର ପଂଚାୟତ ରଂହସ ଓ ପାଳଦା ସାଇଫନ ଦେଇ ଚିତ୍ରୋତ୍ପଳା ନଦୀକୁ ନିଷ୍କାସିତ ହେଉଥିଲା ବେଳେ ଚଳିତ ବର୍ଷ ଚିତ୍ରୋତ୍ପଳା ନଦୀରେ ବନ୍ୟାଜଳ ଭରି ରହିଥିବାରୁ ବହୁ ବଡ ବଡ ପାଟ ଯଥା ହରିଅନ୍ତା, ବାସୁଆବର, ରାଇବିରୀଚକ, ବନ୍ଧୁପୁର ଚକ, ରହଂସ ଚକ ଆଦି ଗହୀରମାନଙ୍କରୁ ବର୍ଷା ଜଳ ନିଷ୍କାସନ ହେବା କଷ୍ଟକର ହୋଇ ପଡିଛି ।
ଅପରପକ୍ଷରେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଚାଷୀମାନେ ବହୁ ବିଳମ୍ବରେ ରୁଆପୋତା କାମ ସାରିଥିଲେ ମଧ୍ୟ ଲଗାଣ ବର୍ଷା ଚାଷୀମାନଙ୍କ ଉପରେ ଦାଉ ସାଧିଛି । ପ୍ରତିବର୍ଷ ବର୍ଷା ଦିନ ଆସିଲେ ଜଳ ନିଷ୍କାସନ ପାଇଁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ସେଥିପାଇଁ ପ୍ରଶାସନ ଆନ୍ତରିକତା ଦେଖାଉ ନାହାଁନ୍ତି ।
ଫଳରେ ଚଳିତ ବର୍ଷ ଚାଷୀମାନେ ବର୍ଷକର ଆହାର ହରାଇବା ଏକ ପ୍ରକାର ସୁନିଶ୍ଚିନ୍ତ ହୋଇଯାଇଛି । ବିଶେଷକରି ନିଶ୍ଚିନ୍ତକୋଇଲି ବ୍ଲକର ଜନାର୍ଦ୍ଦନପୁର, କଳମିଶ୍ରି, ବନ୍ଧୁପୁର, ସାନ୍ତପୁର, ପାଳଦା, ବାବୁଜଙ୍ଗ, ଉତ୍ତରକୂଳ, ମହମ୍ମଦପୁର, ମଣିଜଙ୍ଗ ଆଦି ପଂଚାୟତର ହଜାର ହାଜର ହେକ୍ଟର ଚାଷ ଜମି ଏବେ ବି ବର୍ଷା ପାଣିରେ ବୁଡି ରହିଛି ।
ଆଗକୁ ପୁଣି ଏକ ଲଘୁଚାପ ଆସୁଥିବାର ଖବର ପାଇ ଚାଷୀମାନେ ଭୟଭୀତ ହୋଇପଡିଥିଲା ବେଳେ ଧାର ଉଦ୍ଧାର ,ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ କରି ଧାନ ରୁଆପୋତା କରିଥିବା ଚାଷୀମାନଙ୍କ ମ୍ମରେ ଭାଳେଣୀ ପଡିଛି । ପାଖରେ ଆଉ ଧାନ ତଳି ଗଚ୍ଛିତ ନଥିବାରୁ ଚଳିତ ବର୍ଷ କିଭଳି ଋଣ ପରିଶୋଧ କରିବା ସହ ପିଲାଛୁଆଙ୍କ ପେଟକୁ ଗଣ୍ଡେ ଦାନା ଦେବେ ତାହାକୁ ନେଇ ଦୁଃଖ ବଢିଯାଇଛି । ତେବେ ତୁରନ୍ତ ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀ ଦୀପାଂଚଳ ଗ୍ରସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଓ ଜଳ ନିଷ୍କାସନର ସୁବ୍ୟବସ୍ଥା ପାଇଁ ସାଧାରଣରେ ଚାଷୀ ମହଲରେ ଦାବି ହୋଇଛି ।