Odisha news

ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ ଓ ନିଜ ବେକ କାଟି ଆହତ ଯୁବକ ନାମରେ ଥାନାରେ ଏତଲା

0

ନୟାଗଡ଼/ଓଡ଼ଗାଁ, ତା୩୧/୧ : ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ହାଇସ୍କୁଲର ଶିକ୍ଷୟିତ୍ରୀ ନୀଳୀମା ବେହେରାଙ୍କୁ ଛୁରାମାଡ଼ରେ ଗୁରୁତର ଆହତ କରି ପକାଇବା ଓ ନିଜ ବେକ କାଟି ଗୁରୁତର ଆହତ ହୋଇଥିବା କେନ୍ଦ୍ରପଡ଼ା ଥାନା ଅଁଳାଯୋଡ଼ି ଗାଁ ଯୁବକ ସୁକାନ୍ତ ବେହେରା ଏବେ ସଂଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧିନ ରହିଛି । ତାକୁ ପୋଲିସ୍ ବଳ ଜଗି ରହିଛନ୍ତି । ସେପଟେ ଛୁରା ମାଡରେ ବେକମୁଣ୍ଡା ଓ କାନ ଆଦି ସ୍ଥାନରେ ଭଗୀର କ୍ଷତ ଲାଗି ଆହତ ହୋଇଥିବା ଶିକ୍ଷୟିତ୍ରୀ ନୀଳୀମା ବେହେରାଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଛି । ଉକ୍ତ ଘଟଣାରେ ଶରଣକୁଳ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ବିମଳ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।
ଆକ୍ରମଣରେ ଗୁରୁତର ଆହତ ଶିକ୍ଷୟିତ୍ରୀ ଭଡ଼ାରେ ରହୁଥିବା ଘର ମାଲିକ ସନ୍ତୋଷ କୁମାର ସାହୁଙ୍କ ଏତଲା ଭିତ୍ତିରେ ପୋଲିସ୍ ମାମଲା ରୁଜୁ କରିଛି । ଶନିବାର ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟି ସମୟରେ ଶିକ୍ଷୟିତ୍ରୀ ନୀଳୀମା ବେହେରା ସ୍କୁଲ ରୁ ନିଜ ପରିବାର ସହ ରହୁଥିବା ଭଡ଼ାଘରକୁ ଫେରିବା କ୍ଷଣି ପୂର୍ବରୁ ଅପେକ୍ଷା କରିଥିବା ଜଣେ ଯୁବକ ସୁକାନ୍ତ ବଳପୂର୍ବକ ଶିକ୍ଷୟିତ୍ରୀଙ୍କ ଭଡ଼ା ଘରକୁ ପଶିବାକୁ ଉଦ୍ୟମ କରିଥିଲା । ବାରଣ କରିବାରୁ ଯୁବକ ଜଣକ ଏକ ଛୁରୀରେ ଶିକ୍ଷୟିତ୍ରୀ ନୀଳୀମାଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିଲା । ଶିକ୍ଷୟିତ୍ରୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଉଦ୍ୟମ କରି ଘରମାଲିକ ସନ୍ତୋଷ ସାହୁ ଓ ତାଙ୍କ ପୁଅ ଯୁବକଙ୍କ ଛୁରା ଆକ୍ରଣରେ ଆହତ ହୋଇଥିବା ଏତଲାରେ ଦର୍ଶାଇଛନ୍ତି । ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଯିବାରୁ ଆକ୍ରମଣକାରୀ ସୁକାନ୍ତ ନିଜ ବେକକୁ ଛୁରୀରେ କାଟି ପକାଇ ଥିବା ଏତଲା ଭିତ୍ତିରେ ଥାନାରେ ମମଲା ରୁଜୁ ହୋଇଛି । ଘଟଣାସ୍ଥଳରୁ ଦୁଇଟି ରକ୍ତଭିଜା ଛୁରୀ ଜବତ ହୋଇଛି ।
ଆକ୍ରମଣକାରୀ ଯୁବକ କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ଥାନା ଅଁଳାଯୋଡ଼ି ଗାଁ ଗଗନ ବେହେରାଙ୍କ ବିବାହିତ ପୁଅ ସୁକାନ୍ତ ବେହେରା (୩୯) ବର୍ଷ ବୋଲି ପୋଲିସ୍ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ସେପଟେ ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଏମ୍ସ ରେ ଚିକିତ୍ସା ଚାଲିଥିବା ବେଳେ ଅଭିଯୁକ୍ତ ସୁକାନ୍ତ କଟକ ବଡ଼ ମେଡ଼ିକାଲରେ ପୋଲିସ୍ ହେପାଜତରେ ଚିକିତ୍ସାଧିନ ରହିଥିବା ଥାନା ଅଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି ।
ଆକ୍ରମଣ କରିଥିବା ଯୁବକକୁ ଶିକ୍ଷୟିତ୍ରୀ ଜାଣି ନଥିବା କହିଛନ୍ତି । ଅଭିଯୁକ୍ତ ସୁକାନ୍ତ କଥା କହିପାରୁ ନାହିଁ । କିନ୍ତୁ ସୁକାନ୍ତର ପରିବାର ସଦସ୍ୟଙ୍କ ସହ କଥା ହୋଇ ପୋଲିସ୍ କିଛି ସୂଚନା ହାସଲ କରିଥିବା କହିଛନ୍ତି ଆଇଆଇସି ବିମଳ କୁମାର ମଲ୍ଲିକ । ସୁସ୍ଥ ହେବା ପରେ ଉଭୟଙ୍କର ବୟାନ ରେକର୍ଡ କରାଯିବ । ତଦନ୍ତଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଆକ୍ରମଣ ର କାରଣ ସ୍ପଷ୍ଟ ହୋଇଯିବା କଥା ଥାନା ଅଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି ।

Leave A Reply