ନୟାଗଡ଼ : ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ନିଜସ୍ୱ ବିଲ୍ଡିଙ୍ଗ ଗୁରୁବାର ଦିନ ଉଦ୍ଘାଟିତ ହୋଇଯାଇଛି । ନୂଆଦିଲ୍ଲୀରୁ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ଭିଡିଓକନ୍ଫରେନ୍ସିଂ ମାଧ୍ୟମରେ ବିଦ୍ୟାଳୟର ନୂଆ କ୍ୟାମ୍ପୋସ୍ ଉଦ୍ଘାଟନ କରିଥିଲେ । ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଦିଗରେ କେନ୍ଦ୍ର ସରକାର ସର୍ବଦା ଚେଷ୍ଟିତ ଥିବା କେନ୍ଦ୍ରମନ୍ତ୍ରୀ ପୋଖରୀୟାଲ କହିଥିଲେ । ବିଶେଷ କରି କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଢ଼ାଞ୍ଚାରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ଅଧିକ ଗୁରୁତ୍ୱ ଦିଆ ଯାଉଥିବା ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।
ଉତ୍ସବର ଅନ୍ୟତମ ଅତିଥି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ, କେନ୍ଦ୍ରୀୟ ଶିକ୍ଷା ସାକ୍ଷରତା ଅଧିକାରୀ ଅନିତା କରୱାଲ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅଧିକାରୀ ନିଧି ପାଣ୍ଡେ ଏବଂ ସୁମନ୍ତ ଚୋପ୍ରା ପ୍ରମ୍ମୁଖ ଉପସ୍ଥିତ ରହି ଉଦ୍ଘାଟନୀ ସମାରୋହକୁ ସ୍ୱାଗତ ଜଣାଇଥିଲେ । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ, ଏମ୍ ପି ପିନାକୀ ମିଶ୍ର ଭିଡିଓ କନ୍ଫରେନ୍ସିଂ ଜରୀଆରେ ଉପସ୍ଥିତ ରହି ଶିକ୍ଷା କ୍ଷେତ୍ରରେ ନୟାଗଡ଼ର ସ୍ୱତନ୍ତ୍ର ପରିଚୟ ରହିଥିବା କହିଥିଲେ । ବିଦ୍ୟାଳୟ ନୂତନ କ୍ୟାମ୍ପୋସରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ପୋମା ଟୁଡ଼ୁ, ପ୍ରିନସ୍ପାଲ ଏସ୍ ଶ୍ରିନିବାସନ, ସିଡିଏମ୍ଓ ଶକ୍ତି ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ଅରୁଣା ନାୟକ ପ୍ରମ୍ମୁଖ ମଞ୍ଚାସୀନ ଅତିଥି ରୂପେ ଉପସ୍ଥିତ ଥିଲେ ।
ନୟାଗଡ଼ ସହର ସୁବର୍ଣ୍ଣଦେଇପୁର ରୋଡରେ ୧୫.୫ କୋଟି ବ୍ୟୟରେ ନିର୍ମିତ ୨ ମହଲା ବିଶିଷ୍ଠ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ବିଲ୍ଡିଙ୍ଗରେ ୨୩ଟି ଶ୍ରେଣୀ, ଛାତ୍ରଛାତ୍ରୀଙ୍କ ପାଇଁ ରିଡିଂରୁମ, ଲାଇବ୍ରେରୀ, କମ୍ପୁ୍ୟଟର ଲାବ ରହିଛି । ବିଞ୍ଜାନ ପରୀକ୍ଷଣଗାର ସାଙ୍ଗକୁ ଆବଶ୍ୟକୀୟ ପ୍ରଶାସନିକ କୋଠରୀ ନିର୍ମିତ ହୋଇଛି । ବିଦ୍ୟାଳୟ ନିଜସ୍ୱ ବିଲ୍ଡିଙ୍ଗ ଉଦ୍ଘାଟନ କୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଖୁସୀ ହୋଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି । କୋଭିଡ୍ ନିୟମ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ମହାରଣା ଅତିଥି ସ୍ୱାଗତ ଆଦି କାର୍ଯ୍ୟ ସଂଚାଳନ କରିଥିଲେ ।
