୭୫ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କୋଭିଡ୍ ସଂକ୍ରମଣ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ପାଳିବେନି
ଭୁବନେଶ୍ୱର : କୋଭିଡ ମହାମାରୀ ଯୋଗୁଁ ଦେଶ ଓ ରାଜ୍ୟ ସମେତ ସମଗ୍ର ବିଶ୍ୱ ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ଦୁର୍ଦିନ ମଧ୍ୟରେ ଦୀର୍ଘ ଆଠମାସ ଧରି ଓଡ଼ିଶାବାସୀ କରୋନା ମୁକାବିଲା ନେଇ ସଂଘର୍ଷ ଜାରି ରଖିଛନ୍ତି। ଏଭଳି କଠିନ ସମୟରେ ରାଜ୍ୟବାସୀଙ୍କୁ ସୁସ୍ଥ ଓ ନିରାପଦ ରଖିବାର ଗୁରୁଦାୟିତ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆହ୍ୱାନ ପାଲଟିଛି। ଓଡ଼ିଶା ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଶୁକ୍ରବାର ନବୀନ ୭୫ବର୍ଷରେ ପଦାର୍ପଣ କରୁଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନଶୈଳୀରେ ବ୍ରତୀ ନବୀନ ଚଳିତବର୍ଷ କୋଭିଡ ମହାମାରୀ ପ୍ରଭାବରେ ରାଜ୍ୟବାସୀ ବହୁଳ ଭାବେ ପ୍ରଭାବିତ ହୋଇଥିବାରୁ ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିକଟରେ ସେ ସବୁବେଳେ ଋଣୀ।
ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ବୋଲି ନବୀନ କହିଛନ୍ତି। ଗତ ୮ ମାସ ହେଲା କରୋନା ପାଇଁ ସମେସ୍ତ କଠୋର ସମୟ ଦେଇ ଗତି କରୁଛନ୍ତି। ତେଣୁ ଆସନ୍ତାକାଲି ଶୁକ୍ରବାର ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତଦାନ କରିବା ଓ ପ୍ଲାଜ୍ମା ଦାନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମନ୍ତ୍ରୀ, ବିଧାୟକ, ଦଳର କର୍ମକର୍ତ୍ତାମାନେ ନବୀନ ନିବାସ ନ ଆସିବାକୁ ଏବଂ କୌଣସି ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି।
୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଲା ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜନୀତିର ଅ, ଆ ଶିଖି ନ ଥିବା ନବୀନ ରାଜନୀତିରେ ପାଦ ରଖିଥିଲେ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ। ଆଉ ଦୁଇ ଦଶନ୍ଧି ପରେ ଏବେ ସେ ଜଣେ ପୋଖତ ରାଜନୀତିଜ୍ଞ। ରାଜନୀତିରେ ପ୍ରବେଶ ପର ଠାରୁ କ୍ଷମତାରେ ରହି ଆସିଛନ୍ତି । ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀ। କେବେ ନିଜ ରାଜନୈତିିକ ଶତ୍ରୁଙ୍କୁ ନିର୍ଦ୍ଦୟ ଭାବେ ଦମନ କରି ସେ ଚର୍ଚ୍ଚାରେ ରହିଛନ୍ତି ତ ଆଉ କେବେ ଭୋଟ୍ ରାଜନୀତିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଛନ୍ତି।
ଉଲ୍ଲେଖଥାଉକି, ଜନ୍ମଦିନ ପାଳିବେ ନାହିଁ ବୋଲି ନବୀନ ଆଜି ଘୋଷଣା କରିଥିଲେ ବି ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ ଭିତରର ତଥା ବାହାରର ଅସଂଖ୍ୟ ଶୁଭେଚ୍ଛୁ, ସମର୍ଥକ, ପ୍ରଶଂସକ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।
