Odisha news

ନବୀନଙ୍କ ଓଡ଼ିଶା ଓ ଉତ୍ତରାୟଣ ଗତି

0

ବାଦଲ ଭୂୟାଁ : ଭାରତର ଅନ୍ୟତମ ପ୍ରମୁଖ ଓ ନିରପେକ୍ଷ ବୃହତ୍ ସର୍ବେକ୍ଷଣ ସଂସ୍ଥା “ଦେଶ କା ମୁଡ଼୍’ ସଂସ୍ଥାର ସର୍ଭେ ଅନୁଯାୟୀ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ବିବେଚିତ ହୋଇଛନ୍ତି । ଲୋକପ୍ରିୟତ୍ତର ତାଲିକାରେ ଶୀର୍ଷରେ ରହି ନବୀନ ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ସବୁଠାରୁ ପସନ୍ଦ ଯୋଗ୍ୟ ଓ ଭଲ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପ୍ରଥମ ରହିବା କେବଳ ଓଡ଼ିଶା ବା ଭାରତ ନୁହେଁ ସମଗ୍ର ବିଶ୍ୱରେ ଥିବା ସମସ୍ତ କୋଟି କୋଟି ଓଡ଼ିଆଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ବିଷୟ । ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସହ ବିଜେଡ଼ି ଦଳକୁ ଏକ ମଜଭୁତ୍, ଶକ୍ତିଶାଳୀ ଓ ଭାରତର ପ୍ରମୁଖ ଆଞ୍ଚଳିକ ଦଳର ନେତୃତ୍ୱ ନେଇଛନ୍ତି । ଏହାସହିତ କେନ୍ଦ୍ରରେ ମଧ୍ୟ ବିଜେଡ଼ି ପରି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଦକ୍ଷତା ରଣକୌଶଳ ଓ ସଂଗଠନକୁ ସମସ୍ତ ଜାତୀୟ ଦଳ ମଧ୍ୟ ଗ୍ରହଣ କରିଛନ୍ତି । ନବୀନ ବାବୁଙ୍କ ଏହି ପ୍ରମୁଖ ସ୍ଥାନ ମଣ୍ଡନ ସହ ମକର ସଂକ୍ରାନ୍ତିର ଉତ୍ତରାୟଣ ଗତିର ସଂପର୍କ ସମ୍ବନ୍ଧରେ ଆମେ ସହୃଦୟ ପାଠକ ମାନଙ୍କୁ ସ୍ପଷ୍ଟ କରୁଛୁ ।

ମକର ସଂକ୍ରାନ୍ତି ଦିନରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ବିଧିବଦ୍ଧ ଭାବେ ଆରମ୍ଭ ହୋଇଥାଏ ଏହି ଉତ୍ତରାୟଣରେ ହିଁ ସୂର୍ଯ୍ୟଦେବ ଅତି ତେଜୀୟାନ ହେବା ସହ ପ୍ରଖର ହୋଇଥାନ୍ତି ଏହା ସମଗ୍ର ସଂସାର ଲାଗି ମଙ୍ଗଳକର ବୋଲି ବିଶ୍ୱାସ ରହିଛି । ଏହି ପବିତ୍ର ମକର ସଂକ୍ରାନ୍ତି ଦିନ କାର୍ଯ୍ୟାରମ୍ଭ କଲେ ସବୁ ମଙ୍ଗଳମୟ ହୁଏ ବୋଲି ଓଡ଼ିଆଙ୍କ ବିଶ୍ୱାସ ରହିଛି । ମହାମାରୀ କରୋନା ଦୀର୍ଘ ନଅ ମାସ ଧରି ନବୀନ ବାବୁଙ୍କୁ ସେମାନଙ୍କ ଜନସମାବେଶରୁ ଦୂରେଇ ଦେଇଥିଲା । ଓଡ଼ିଶାବାସୀ ନବୀନ ବାବୁଙ୍କୁ ଦେଖିବାପାଇଁ ଅତି ଆନନ୍ଦର ସହ ଅପେକ୍ଷାରେ ଥିବାବେଳେ ଚଳିତ ବର୍ଷ ମକର ସଂକ୍ରାନ୍ତି ଦିନ ହିଁ ନବୀନ ବାବୁ କଳାହାଣ୍ଡିରେ ଏକ ବିଶାଳ ଜନସମାବେଶରେ ସାମିଲ ହୋଇଥିଲେ ।

ଆଗକୁ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜନୀତିରେ ବେଶ ଚତୁର କୁହାଯାଉଥିବା ନବୀନ ବାବୁ ଯଥେଷ୍ଟ ପୂର୍ବରୁ ଉତ୍ତରାୟଣ ପର୍ବରେ ହିଁ ନିର୍ବାଚନର ଏକ ପ୍ରକାର ଶୁଭାରମ୍ଭ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ ଭାବେ ନବୀନ ବାବୁଙ୍କ ପୁରୀଧାମ ପ୍ରତି ଯେଉଁ ବିକାଶର ବିଶ୍ୱସ୍ତରୀୟ ଯୋଜନା ହାତକୁ ନେଇଛନ୍ତି ତାହା ଇତିହାସ ପାଇଁ ଚିରଦିନ ପାଇଁ ଲେଖା ହୋଇ ରହିବ । ତେବେ ଏହିପରି ଏକ ସମୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କର ସମଗ୍ର ଭାରତରେ ଏକ ନମ୍ବର ସ୍ଥାନ ପାଇବା ଅନେକ ଗର୍ବ ଓ ଆନନ୍ଦର ବିଷୟ । ନବୀନ ବାବୁଙ୍କ ପରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ତୃତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ଚତୁର୍ଥ ସ୍ଥାନରେ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପଞ୍ଚମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଷଷ୍ଠ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସପ୍ତମ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜା ସିଂହ ଚୌହାନ ଅଷ୍ଟମ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନବମ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଦଶମ ସ୍ଥାନରେ ରହିଛନ୍ତି ।

ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଜନସାଧାରଣ ଅଂଶ ଗ୍ରହଣ କରିଥିବାବେଳେ ଏଥିରେ ୩୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ଅଣବିଜେପି ଦଳ ଭାବେ ବିଭିନ୍ନ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିବା ରାଜନୈତିକ ଦଳ ଗୁଡ଼ିକ ହେଉଛନ୍ତି ଯଥାକ୍ରମେ ବିଜେଡ଼ି, ଆପ୍, ୱାଏସ୍ଆର କଂଗ୍ରେସ, ସିପିଏମ୍, ଶିବସେନା, କଂଗ୍ରେସ ଓ ତୃଣମୂଳ କଂଗ୍ରେସ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜାତୀୟ ଦଳଗୁଡ଼ିକ ତୁଳନାରେ ଆଞ୍ଚଳିକ ଦଳର ମୁଖ୍ୟମନ୍ତ୍ରୀମାନେ ଅଧିକ ଲୋକପ୍ରିୟ ରହିଛନ୍ତି ।

ନବୀନ ବାବୁ ଏହାର ଯଥେଷ୍ଟ ପୂର୍ବରୁ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଭଳି ଅନେକ ଜାତୀୟ ସ୍ତରର ସମ୍ମାନ ମିଳିସାରିଛି । ବିପତ୍ତି ସମୟରେ ତକ୍ରାଳ ନିଷ୍ପତ୍ତି ଓ ଉଚିତ ପଦକ୍ଷେପ ତାଙ୍କ ପାଇଁ ଜାତୀୟ ସ୍ତରରେ ପ୍ରତିଷ୍ଠା ଓ ସମ୍ମାନ ଆଣିଦେଇଛି । ମହାବାତ୍ୟା ଓ ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତ ଜନତା ତାଙ୍କ ଉପରେ ଭରସା କରିଥାନ୍ତି । କରୋନା ପୀଡ଼ିତ ଅର୍ଥନୀତିକୁ ସୁଧାରି ଜୀବନଜୀବିକାକୁ ଚଳଚଞ୍ଚଳ କରାଇବା ସହ ରାଜ୍ୟବାସୀଙ୍କୁ ସମ୍ମାନର ସହ ବଞ୍ଚôବାର ରାହା ଦେଖାଇଛନ୍ତି ନବୀନ । ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ସହ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖି କରିବା ନେଇ ନବୀନଙ୍କ ପ୍ରୟାସ ସୁଦୂରପ୍ରସାରୀ ହୋଇପାରିଛି । ଲୋକଙ୍କ ସହ ଯୋଡ଼ିହେବା ଓ ସାଧାରଣ ଜନତାର ସୁଖ-ଦୁଃଖରେ ଭାଗୀ ହେବା ସହ ପ୍ରଶାସନକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ଉଦ୍ୟମ ତାଙ୍କୁ ଜନତାଙ୍କର ଆସ୍ଥାଭାଜନ କରାଇପାରିଛି । ଦୀର୍ଘ ଦୁଇ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ରାଜ୍ୟକୁ ଏକ ସ୍ଥିର ଶାସନ ଦେବା ସହ ଏହାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବାର ପ୍ରଚେଷ୍ଟା ନବୀନଙ୍କ ଲୋକପ୍ରିୟତାକୁ ବଢ଼ାଇଛି ।

ଶିଳ୍ପ, କୃଷି, ଜଳସଚେନ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ରାଜ୍ୟରେ ବିକାଶର ଏକ ସ୍ପଷ୍ଟ ଚିତ୍ର ଆଙ୍କି ପାରିଛନ୍ତି । ପ୍ରଶାସନର ପାରଦର୍ଶିତା ଯୋଗୁଁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି । ଜନନୀ ଜଠରରୁ ଜୁଇ ପର୍ଯ୍ୟନ୍ତ ଲୋକପ୍ରିୟ ଯୋଜନାର କାର୍ଯ୍ୟାନ୍ୱୟନ ତାଙ୍କ ସଫଳତାକୁ ବ୍ୟାଖ୍ୟା କରୁଛି । ଏହା ମଧ୍ୟ ଜାତୀୟ ସ୍ତରରେ ଓଡ଼ିଶାର ପ୍ରଗତିକୁ ସ୍ୱୀକୃତି ଦେଇଛି । କରୋନା ମହାମାରୀ ସମଗ୍ର ବିଶ୍ୱକୁ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦେଇଥିବାବେଳେ ଅସୀମ ଧୈର୍ଯ୍ୟ ସହ ଏକ ଟିମ୍ ୱାର୍କ ଭାବେ ନବୀନ ବାବୁ ଏହାର ଦୃଢ଼ ମୁକାବିଲା କରି ଅଗଣିତ ଓଡ଼ିଆଙ୍କ ଜୀବନ ରକ୍ଷା କରିଛନ୍ତି । ଜଣେ ଓଡ଼ିଆ ଭାବେ ଏହି ପ୍ରଶଂସନୀୟ ସ୍ଥାନ ପାଇଥିବାରୁ ନବୀନ ବାବୁଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇବା ସହ ତାଙ୍କ ବିଜେଡ଼ି ଦଳ ଓଡ଼ିଶାବାସୀଙ୍କ ସେବା କରିବାରେ ସାମର୍ଥ୍ୟ ହୋଇ ଆହୁରି ଲୋକପ୍ରିୟତା ପ୍ରାପ୍ତ ହେଉ ଏହା ହିଁ କାମନା ।

Nalco
Leave A Reply