ନର୍ଲା (ଦୀପକ କୁମାର ଠାକୁର ) ଦିନକୁ ଦିନ ନର୍ଲା ଅଞ୍ଚଳରେ ବ୍ୟାପକ ଭାବେ ପଲିଥିନର ବ୍ୟବହାର ଚାଲୁ ରହିଛି। ଗତ ୨୦୦୨ ମସିହାରୁ ଓଡିଶା ହାଇକୋର୍ଟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଲିଥିନ ଉପରେ କଟକଣା ଜାରି କରିଛନ୍ତି। ୨୦୦୪ରେ ରାଜ୍ୟ ସରକାର ମଧ୍ୟ ପଲିଥିନ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ସହ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ଖୋଲାଖୋଲି ଭାବରେ ଛୋଟ ପାନ ଦୋକାନୀ ଠାରୁ ଆରମ୍ଭ କରି ହୋଲସେଲର ଦୋକାନ ଯାଏଁ ପଲିଥିନ ବ୍ୟବହାର ହେଉଛି। ପ୍ରଶାସନିକ ଅଧିକାରୀମାନେ ଚେଇଁ ଶୋଇବା ନୀତି ଯୋଗୁଁ ଏଭଳି ବ୍ୟାପକ ଭାବେ ପଲିଥିନର ବ୍ୟବହାର ଚାଲୁ ରହିଛି। ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ପଲିଥିନ ବ୍ୟବହାରକୁ କଡ଼ାକଡ଼ି ଭାବେ ବର୍ଜନର ଆବଶ୍ୟକତା ରହିଛି। ସହର ଠାରୁ ଗାଁ ପର୍ୟ୍ୟନ୍ତ ସର୍ବତ୍ର ପଲିଥିନର ବ୍ୟବହାର ଚାଲିଛି। ଲୋକେ ବଜାରକୁ ଗଲେ ଆଉ ବ୍ୟାଗ ଲୋଡୁ ନାହାନ୍ତି।
ଦୋକାନୀ ତ ନିଶ୍ଚୟ ପଲିଥିନଟିଏ ଦେବ ଭାବି ଗ୍ରାହକ ଅଚିନ୍ତାରେ ବଜାରକୁ ବାହାରୁଛି। ବର୍ତ୍ତମାନ ନର୍ଲା ବ୍ଳକର ଗାଁ ରୁ ସହରର ତେଜରାତି ଦୋକାନ, ପରିବା ଦୋକାନ, ହୋଟେଲ, ଜଳଖିଆ, ମାଛ, ମାଂସ ଆଦି ଦୋକାନ ମାନଙ୍କରେ ଖୋଲାଖୋଲି ଭାବରେ ବ୍ୟବସାୟୀ ମାନେ ବିନା ଦ୍ବିଧାରେ ବିଭିନ୍ନ ସାମଗ୍ରୀ ଦେଉଥିବା ବେଳେ ଏଥିପ୍ରତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ସରକାରୀ ନିଷେଧାଦେଶ ଲାଗୁ ହୋଇଛି କି ନାହିଁ ଲୋକେ ଜାଣି ପାରୁ ନାହାଁନ୍ତି। ନର୍ଲା ବ୍ଳକର ପ୍ରାୟ ପ୍ରତ୍ୟେକ ଗାଁ ମାନଙ୍କରେ ତେଜରାତି ଦୋକାନ ଠାରୁ ମଦ କୋଠି ଯାଏ ପ୍ୟାକେଟ ପଲିଥିନ ବ୍ୟବହାର ହେଉଛି। କେଉଁ ଗାଁରେ କେତେ ପରିମାଣର ମଦ ବେପାର ଚାଲିଛି ତାହା ରାସ୍ତା ଘାଟରେ ପଡ଼ିଥିବା ପଲିଥିନକୁ ଦେଖିଲେ ଜଣାପଡେ। ବର୍ଷ ବର୍ଷ ଧରି ଖରା ବର୍ଷା ଖାଇ ଓ ମାଟିରେ ପଡ଼ି ରହି ପଲିଥିନ ସହଜରେ ନଷ୍ଟ ହେଉ ନାହିଁ ବରଂ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଚାଷ ଜମିରେ ପଡି ଫସଲର ଉତ୍ପାଦନ ହ୍ରାସ କରିବାରେ ସହାୟକ ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ସଚେତନତା ସୃଷ୍ଟି କରି ବିଭିନ୍ନ ଦୋକାନ ଗୁଡ଼ିକୁ ଧରପଗଡ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।
Comments are closed.