ନର୍ଲା/ସକାଳ ଖବର ( ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଆଶାକର୍ମୀ ସଂଘର ସଭାନେତ୍ରୀ ପଙ୍କଜିନୀ ନାୟକଙ୍କ ନେତୃତ୍ବରେ ବ୍ଳକର ବିଭିନ୍ନ ପଞ୍ଚାୟତର ଆଶାକର୍ମୀଙ୍କ ଉପସ୍ଥିତରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷରୁ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଘର ଘର ବୁଲି ସର୍ଭେ କରିବା,ଟିଏମସିରେ କାର୍ଯ୍ୟ କରିବା,ହୋମ ଆଇସୋଲେସନରେ ରହିବାକୁ ପ୍ରବାସୀଙ୍କୁ ପ୍ରବର୍ତ୍ତାଇବା ପରି ଅନେକ କାର୍ଯ୍ୟ ଆଶାକର୍ମୀ ମାନେ କରିଆସୁଛନ୍ତି। ଏଥିପାଇଁ ସେମାନଙ୍କୁ ସ୍ଵତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି।ନିଜ ଜୀବନକୁ ବାଜି ଲଗାଇ ସେମାନେ ତାଙ୍କ ଦାୟିତ୍ଵ ତୁଲାଇବାରେ ଅବହେଳା କରି ନାହାନ୍ତି।
ହେଲେ ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି। କାର୍ଯ୍ୟ କ୍ଷେତ୍ରରେ ତାଙ୍କର କିଛି ହୋଇଯାଏ ତେବେ ସେମାନଙ୍କ ଜୀବନ ବୀମା ନାହିଁ କି ସ୍ଥାୟୀ ଦରମା ବ୍ୟବସ୍ଥା ନାହିଁ। ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ପ୍ରତିଟି କାର୍ଯ୍ୟ କରି ଆସୁଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସେମାନଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ଅଣଦେଖା କରୁଛନ୍ତି। କରୋନା ସର୍ଭେ ସମୟରେ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯିବା ପାଇଁ ଦାବି କରିଛନ୍ତି। ତେବେ ଏଥର ଦାବି ପୂରଣ ନହେଲେ କୋଭିଡ ଡ଼୍ୟୁଟି ବର୍ଜନ ନିଷ୍ପତ୍ତି ନେଇଥିବା ଆଶା କର୍ମୀ ଗଣ ପ୍ରକାଶ କରିଛନ୍ତି। ଦାବିପତ୍ରଟି ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲ ଓ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା ସନତ ଶତପଥୀଙ୍କୁ ପ୍ରଦାନ କରାଯାଇଥିବା ଆଶା ସଂଘ ପକ୍ଷରୁ ଜଣାଯାଏ।

Comments are closed.