ଧାମରା,୦୮/୧୦ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଂଚୁଟିକ୍ରୀ ଗାଁ ସଜେଇ ହେଲାଣି । ପ୍ରତି ବର୍ଷ ପରି ଏଥର ଏଠାରେ ମହାଯୋଗୀ ନଣ୍ଡା ବାବାଙ୍କ ୧୧୯ତମ ଜୟନ୍ତୀ ପାଳିତ ହେବାକୁ ଯାଉଛି । ମହାନନ୍ଦ ସେବାଶ୍ରମ ପରିସରରେ ଏହି ଉତ୍ସବ ପାଳନ ହେବାକୁ ଯୋଜନା ଅଛି । ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ସେବାଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ନବରାତ୍ର ନାମ ଯଜ୍ଞର ଶୁଭାଧିବାସ , ରାମ ଚରିତ ମାନସ ପାରାୟଣ , ଭାଗବତ ପାରାୟଣ , ଆଧ୍ୟାତ୍ମିକ ପ୍ରବଚନ , ମଙ୍ଗଳ ଆରତୀ , ପ୍ରଭାତୀ କୀର୍ତ୍ତନ, ରୁଦ୍ରାଭିଷେକ ଆଦି ଦିବ୍ୟ କାର୍ଯ୍ୟକ୍ରମ ହେବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ , ଆହୁରି ମଧ୍ୟ ଅଖଣ୍ଡ ନାମର ୪୪ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସାରା ଓଡ଼ିଶାରୁ ସାଧୁସନ୍ଥଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାରେ ନାମପ୍ରେମୀ ଯୋଗ ଦେବାକୁ ଆଶ୍ରମ ପରିଚାଳନା କମିଟି ପକ୍ଷରୁ ପ୍ରେମାନନ୍ଦ ଦାସ ବାବାଜୀ ବିନମ୍ର ଅନୁରୋଧ କରିଛନ୍ତି
