ଭୁବନେଶ୍ୱର: ୨୭.୦୯.୨୦୨୨: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ) ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍କୁ ସହାୟତାର ହାତ ବଢ଼ାଇ ଆବଶ୍ୟକ ଥିବା ପୋଲିସ୍ ନିୟନ୍ତ୍ରଣ କକ୍ଷ (ପିସିଆର) ଭ୍ୟାନ୍ ଯୋଗାଇ ଦେଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଲ୍କୋ ଆଜି ୦୬ଟି ପିସିଆର୍ ଭ୍ୟାନ୍ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍କୁ ପ୍ରଦାନ କରିଛି ଯାହା ଦ୍ୱୈତ ନଗରୀ କଟକ ଏବଂ ଭୁବନେଶ୍ୱରରେ ଆଇନ ଶୃଙ୍ଖଳାର ନିୟନ୍ତ୍ରଣ କରିବା ସହ ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରିବାରେ ସହାୟକ ହେବ ।
କମିଶନରେଟ୍ ପୋଲିସ୍ ମୁଖ୍ୟାଳୟଠାରେ ଭୁବନେଶ୍ୱର-କଟକ ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଇପିଏସ୍ ଏବଂ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ପିସିଆର୍ ଭ୍ୟାନ୍ଗୁଡ଼ିକୁ କମିଶନରେଟ୍ ପୋଲିସ୍ ଏବଂ ନାଲ୍କୋର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ନାଲ୍କୋ କ୍ରମାଗତ ଭାବେ ସହାୟତା ସ୍ୱରୂପ କମିଶନରେଟ୍ ପୋଲିସ୍କୁ ପିସିଆର ଭ୍ୟାନ୍ ପ୍ରଦାନ କରି ଆସୁଛି ।
ଏହି ଅବସରରେ ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଶ୍ରୀଧର ପାତ୍ର କହଛନ୍ତି ଯେ “ନାଲ୍କୋ କେୟାରିଂ ଓ ଶେୟାରିଂ ମୂଲ୍ୟବୋଧରେ ବିଶ୍ୱାସ କରେ ।” ନାଲ୍କୋ ପକ୍ଷରୁ ପୋଲିସ୍ ପ୍ରଶାସନକୁ ପ୍ରଦାନ କରାଯାଉଥିବା ପିସଆର୍ ଭ୍ୟାନ୍ ସମାଜରେ ପ୍ରଭାବଶାଳୀ ପୋଲିସ ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ ନାଲ୍କୋର ଏପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମି ଦିନରେ ମଧ୍ୟ କମ୍ପାନୀ ଏପରି ସହାୟତା ଜାରି ରଖିବ ବୋଲି ଆଶା ପ୍ରକାଶ କରିଛନ୍ତି ।
