ଫୁଲନଖରା : ଜନୈକା ଦଳିତ ମହିଳା କୁକୁଡ଼ା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ଦୁଇ ପରିବାରକୁ ରୋଜଗାରକ୍ଷମ କରାଇବାରେ ସକ୍ଷମ ହୋଇଛନ୍ତି । ଏଭଳି ଜଣେ ଉଦ୍ୟମୀ ମହିଳା ହେଲେ ବାରଙ୍ଗ ବ୍ଲକ କୁରାଙ୍ଗଶାସନ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗେଶ୍ୱର ଗ୍ରାମର କମଳା ସାମଲ । କୁକୁଡ଼ା ମାଂସର ଚାହିଦା ଦେଖି କମଳା ଏହି ଚାଷ ପ୍ରତି ଆଗ୍ରହୀ ହୋଇଥିଲେ ।
ସେ ପ୍ରଥମେ ବାରଙ୍ଗ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତକୁମାର ବିଶ୍ୱାଳଙ୍କ ସହ ସାକ୍ଷାତ କରି ଏ ବିଷୟ ଜଣାଇଥିଲେ । ତାଙ୍କ ପରାମର୍ଶ କ୍ରମେ ଗାଁରେ ଏକ ବ୍ରଏଲର କୁକୁଡ଼ା ଫାର୍ମ ଆରମ୍ଭ କଲେ । ଫାର୍ମ ନିର୍ମାଣ ପାଇଁ ଫୁଲନଖରାସ୍ଥିତ କାନାରା ବ୍ୟାଙ୍କର ଶାଖା ପରିଚାଳକ ପ୍ରିୟମ୍ବଦା ସୁବୁଦ୍ଧି ତାଙ୍କୁ ଆର୍ଥିକ ସହାୟତା ଋଣ ଆକାରରେ ଯୋଗାଇଦେଇଥିଲେ ।
ଫାର୍ମ ପୂର୍ଣ୍ଣାଙ୍ଗ ହେବା ପରେ ଆଇବି କମ୍ପାନୀର ପରିଚାଳକ ସଞ୍ଜୀବ ପରିଡ଼ାଙ୍କ ସହଯୋଗରେ କମଳା ବ୍ରଏଲର କୁକୁଡ଼ା ବିକ୍ରି କରି ବେଶ ଲାଭବାନ ହେଲେ । ପରବର୍ତ୍ତୀ ସମୟରେ କଟକ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର କେଶବଚନ୍ଦ୍ର ପ୍ରଧାନ, ନୋଡ଼ାଲ ଅଫିସର ଆଶିଷ ପଟ୍ଟନାୟକ, ଆପିକଲ ନିଦେ୍ର୍ଦଶକ ପ୍ରଫେସର ପ୍ରଭାତ ରାଉଳ, ଅର୍ଥ ପରିଚାଳକ ସୂର୍ଯ୍ୟନାରାୟଣ ଦାସ ଓ ଡଃ. ଦୁର୍ଗାଚରଣ ତ୍ରିପାଠୀଙ୍କ ସହଯୋଗରେ ସେ ରାଜ୍ୟ ସରକାରଙ୍କଠାରୁ ଆର୍ଥିକ ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ବର୍ତ୍ତମାନ କରୋନା ଜନିତ ଜଟିଳ ପରିସ୍ଥିତିରେ କମଳା ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟ ଦୁଇଟି ପରିବାର ଚଳାଇବାରେ ସହାୟ ହୋଇଛନ୍ତି ।
