ରାୟଗଡା,୧୨ ।୬(Rabindra patkhandal) : କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଗରୀବ ଖଟିକିଆ ଶ୍ରେଣୀର ଲୋକେ । କାମ ଧନ୍ଦା ନଥିବା ଯୋଗୁଁ ବହୁ ଶ୍ରମିକ ଭୋକ ଉପାସରେ ରହିଥିବା ଜଣାପଡିଛି । ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ଗରୀବ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲେ ମଧ୍ୟ ବହୁ ଲୋକ ସହାୟତାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହି ଗରୀବ ଖଟିକିଆ ଲୋକଙ୍କୁ ସହାୟତାରେ ହାତ ବଢାଇଛି ବିଜୁ ଜନତା ଦଳ ରାୟଗଡା ତଥା ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓଙ୍କ ନିଜସ୍ୱ ଉଦ୍ୟମରେ ସହରରେ ଥିବା ବିଭିନ୍ନ ବସ୍ତିରୁ ୪ହଜାର ୫ଶହରୁ ୫ ହଜାର ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ବୋଲି ସାଂସଦ ରାଓ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । ତାଙ୍କ ନିଜସ୍ୱ ଘରେ ଖାଦ୍ୟ ସାମଗ୍ରୀ ବଂଟନ କରାଯାଉଛି । ଏହି ବଣ୍ଟନ ପକ୍ରିୟା ଆଗାମୀ ୨ ରୁ ୩ ଦିନ ଧରି ଚାଲିବ । ସାଂସଦ ରାଓ ପ୍ରକାଶ କରିଥିଲେ ପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲେ ମଧ୍ୟ ସମସ୍ତେ ରିଲିଫ୍ ସାମଗ୍ରୀ ପାଇ ପାରିନଥିଲେ । ଏହି ଖବର ଜାଣିବା ପରେ ମୁଁ ବ୍ୟକ୍ତିଗତ ଭାବେ ବସ୍ତି ବାସିନ୍ଦାଙ୍କୁ ସହଯୋଗ କରିବା ପାଇଁ ନିଷ୍ପତି ନେଇଥିଲି ।
ରିଲିଫ ସାମଗ୍ରୀ ପାଇ ନଥିବା ବ୍ୟକ୍ତି ମାନଙ୍କ ତାଲିକା ପ୍ରସ୍ତୁତି କରି ଟୋକନ ପ୍ରଦାନ କରିବା ପାଇଁ ଆମ ଦଳର କର୍ମୀ ମାନଙ୍କୁ କହିଥିଲି । ସାମାଜିକ ଦୂରତା ବଜାୟ ରଖି ବସ୍ତି ବାସିନ୍ଦା ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି । ବସ୍ତି ବାସିନ୍ଦାଙ୍କୁ ୫ କେଜି ଚାଉଳ, ଡାଲି ୧ କେଜି, ଆଳୁ, ପିଆଜ, ବାଇଗଣ, ସାନିଟାଇଜର, ସାବୁନ, ମାସ୍କ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଛି । ଗହଳିକୁ ଏଡାଇବା ପାଇଁ ଟୋକନ୍ ବ୍ୟବସ୍ଥା କରିବା ସହ ବିଭିନ୍ନ ବସ୍ତି ବାସିନ୍ଦାଙ୍କ ନିମନ୍ତେ ସମୟ ନିର୍ଦ୍ଧାରଣ କରାଯାଇଛି । ଖାଦ୍ୟ ସାମଗ୍ରୀ ବଣ୍ଟନ ସମୟରେ ସାଂସଦ ଶ୍ରୀରାଓଙ୍କ ସହ ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧୀର ଦାସ, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା, ସାଧାରଣ ସଂପାଦକ ଅମୀୟ ସ୍ୱାଇଁ, ଯୁବ ବିଜେଡି ସଭାପତି ବିନାୟକ କର, ଉପ-ସଭାପତି ବି.ତରୁପତି, ବରିଷ୍ଠ ସଦସ୍ୟ ଚନ୍ଦ୍ରକାନ୍ତ ସାମଲ, ପୂର୍ବତନ ପୌରାଧ୍ୟକ୍ଷ ରାଇସିଂ ବିଡିକା, ବିଜୁ ଜିଲ୍ଲା ମହିଳା ସଭାନେତ୍ରୀ ଅନୁସୟା ମାଝି, ପୂର୍ବତନ କାଉନସିଲର ମଂଜୁଶ୍ରୀ ମୁଖାର୍ଜିଙ୍କ ସହ ମିଡିଆ ସେଲ ସଂଯୋଜକ ଦେବାଶିଷ ଖାଡେଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ ।