ଛତ୍ରପୁର : ମାଆ ଲାଗି ଅଲୋଡା ସାଜିଲା ନବଜାତ ଶିଶୁ । ଏକ କିଆବୁଦାମୁଳରୁ ଉଦ୍ଧାର ହୋଇଛି ଶିଶୁ ପୁତ୍ର । ମାଆର ବାତ୍ସଲ୍ୟତା ଯେ ନିଜର ଜନ୍ମିତ ଶିଶୁ ପାଇଁ ଅଲୋଡା ହୋଇପାରେ ଏହି ଭଳି ହୃଦୟ ବିଚାରକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ । ରଖେ ହରି ମାରେ କିଏ ଭଳି ନିଜ ଜନ୍ମିତ ମାଆ ସିନା ଶିଶୁକୁ ଅଲୋଡା କରି ଫୋପାଡି ଚାଲିଯାଇଥିଲା । ମାତ୍ର ଆଉ ଜଣେ ମହିଳାଙ୍କ ହାବୁଡରେ ପଡିଥିଲା ନବାଜତ ଶିଶୁ ପୁତ୍ର । ଆଜି ସକାଳେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଛତ୍ରପୁର ବ୍ୟାଙ୍କ କଲୋନୀ ପଛ ସାହି ତଥା ଯୋଶଫ୍ ଆଇଟିଆଇ ନିକଟ ଗୋଟିଏ କିଆବୁଦାରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର ହୋଇଛି । ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେଇଥିଲା ।
ସୂଚନା ପାଇ ଛତ୍ରପୁର ଡାକ୍ତରଖାନାରେ ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଡାକ୍ତରଙ୍କ ଠାରୁ ପଚାରି ବୁଝିବାପରେ ସିଡବ୍ଲୁସି କୁ ଖବର ଦେଇଥିଲେ । ଛତ୍ରପୁର ଠାରେ ସପଟ ଚାଇଲଡ୍ ଲାଇନ୍ର ତପୋଇ ସାହୁ ଓ ଏନ୍.ପ୍ରକାଶ ରାଓ ଏବଂ ଶିଶୁ ସୁରକ୍ଷା ୟୁନିୟଟ୍ ସଂଯୋଜକ ଶିବ ପ୍ରସାଦ ରାଥ ଓ ଦେବବ୍ରତ ମହନ୍ତ ପ୍ରମୁଖ ପହଞ୍ଚିବା ପରେ ଉଦ୍ଧାର ହୋଇଥିବା ଶିଶୁକୁ ହସ୍ତାନ୍ତର କରାଯାଇଥିଲା । ଶିଶୁର ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା । ମିଳିଥିବା ସୂଚନାନୁସାରେ, ଦୈନିକ ତୋଟାରୁ କିଆଫୁଲ ତୋଳିବା ଏବଂ ତୋଟାକୁ ତଦାରଖ କରୁଥିବା ପାଲିଆ ଛତ୍ରପୁର ଗ୍ରାମର ଦାଶରଥୀ ନାୟକ ଓ ତାଙ୍କରି ପରିବାର ଆସୁଥାନ୍ତି । ଆଜି ମଧ୍ୟ ସବୁଦିନ ପରି ସେହି କାମ କରୁଥିବା ବେଳେ ଦାଶରଥୀଙ୍କ ଝିଅ ଦମୟନ୍ତୀ ନାୟକଙ୍କ କାନରେ ହଠାତ୍ ଏକ ଶିଶୁର କାନ୍ଦଣ ଶୁଣିବାକୁ ମିଳିଥିଲା । ଶିଶୁର କାନ୍ଦଣାକୁ ବାରି କରି ପହଞ୍ଚିବା ବେଳେ କିଆବୁଦା ଭିତରେ ନବଜାତ ଶିଶୁଟିକୁ ଦେଖିଥିଲେ । ତୁରନ୍ତ ଉକ୍ତ ଶିଶୁକୁ ଉଦ୍ଧାର କରି ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଡାକ୍ତରଙ୍କ କହିବାନୁସାରେ ଶିଶୁଟି ଦିନେ, ଦୁଇଦିନ ମଧ୍ୟରେ ଜନ୍ମ ହୋଇଥିବ ବୋଲି କହିଥିଲେ ।