ନୂଆଦିଲ୍ଲୀ : କରୋନା ସଂକ୍ରମଣ ବିରୋଧରେ ଲଢ଼ିବା ପାଇଁ ଭାକ୍ସିନ୍ ବିକାଶ ଓ ପରୀକ୍ଷଣ ବଢ଼ିଥିବାବେଳେ ଭାରତ ଚିକିତ୍ସା ଓ ଭାକ୍ସିନ୍ ଟ୍ରାଏଲ୍ରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ପୁଣେସ୍ଥିତ ରାଷ୍ଟ୍ରୀୟ ଭୁତାଣୁ ଗବେଷଣା ପ୍ରତିଷ୍ଠାନ ୩୦ ମାଙ୍କଡ଼ଙ୍କ ଉପରେ ଟୀକା ଟ୍ରାଏଲ ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି । ୩-୪ ବର୍ଷ ବୟସ ମଧ୍ୟରେ ୩୦ ମାଈ ମାଙ୍କଡ଼ଙ୍କୁ କୋଭିଡ- ୧୯ ଭାକ୍ସିନ୍ ପରୀକ୍ଷଣ ପାଇଁ ନିଆଯିବ । ସେମାନଙ୍କୁ ପୁଣେର ଭଡ଼ଗାଓଁ ବନଖଣ୍ଡରୁ କିଣାଯାଇଛି । ଜଙ୍ଗଲ ବିଭାଗ ମନ୍ତ୍ରୀ କହିଛନ୍ତି, ଏକଥା ସୁନିଶ୍ଚିତ କରିବାକୁ ହେବ ଯେପରି ମାଙ୍କଡ଼ମାନଙ୍କ ଦିନଚର୍ଯ୍ୟାରେ ବାଧା ନ ଉପୁଜେ ଓ ବ୍ୟାବସାୟିକ ଆଧାରରେ ପରିଯୋଜନାର ଉପଯୋଗ କରା ନ ଯାଏ । ଏବେ ଦେଶରେ ୧୦ରୁ ଅଧିକ ଟୀକାର ଟ୍ରାଏଲ୍ ଚାଲିଛି ।