ନୂଆଦିଲ୍ଲୀ: କୌଣସି ପ୍ରକାରର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନଥାଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଅଚାନକ ଭାବେ ଦିଲ୍ଲୀ ଠାରେ ଚାଲିଥିବା ହସ୍ତଶିଳ୍ପ ମେଳା ‘ହୁନର ହାଟ’ରେ ପହଞ୍ଚିବା ଓ ସେଠାରେ ଦୀର୍ଘ ୫୦ ମିନିଟ ବିତାଇବା ପରେ ନିଜ ପକେଟରୁ ପଇସା ବାହାର କରି ‘ଲିଟି-ଚୋଖା’ ଖାଇବା ସହ ମାଟି କପ୍ରେ ଚା’ ପିଇବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଖୋଦ୍ ମନ୍ତ୍ରାଳୟ କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପ୍ରକାର କାର୍ଯ୍ୟ ସଂପର୍କରେ ଜାଣିବା ପରେ ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି (ବୁଧବାର) ସକାଳେ ଏକ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ସାରିବା ପରେ ହଠାତ୍ ସେଠାରୁ ଉଠି କାହାକୁ କିଛି ନଜଣାଇ ଆସି ପହଞ୍ଚିଥିଲେ ଦିଲ୍ଲୀର ରାଜପଥରେ ଚାଲିଥିବା ହସ୍ତଶିଳ୍ପ ମେଳା ହୁନର୍ ହାଟ୍ରେ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ହୁନର୍ ହାଟ୍ର ଆୟୋଜନ କରାଯାଉଥିବାରୁ ଆସିବା ବେଳେ ସାଙ୍ଗରେ ଧରି ଆସିଥିଲେ ସଂଖ୍ୟାଲଘୁ ବ୍ୟାପାର ମୁକ୍ତାର ଆବାସ୍ ନକ୍ଭୀଙ୍କୁ। କିନ୍ତୁ, ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭୀଙ୍କୁ ଜଣା ନଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁହାଁଇଛନ୍ତି ହୁନର ହାଟ ଆଡ଼େ।
Had tasty Litti Chokha for lunch along with a hot cup of tea… #HunarHaat
ପରେ ମେଳାରେ ଲାଗିଥିବା ଏକ ଷ୍ଟଲରେ ବିକ୍ରି ହେଉଥିବା ‘ଲିଟି-ଚୋଖା’ (ବିହାର, ପୂର୍ବ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡର ଏକ ଲୋକପ୍ରିୟ ଖାଦ୍ୟ)କୁ ମଗାଇ ଖାଇଥିଲେ। ଏବଂ ଏ ବାବଦରେ ନିଜ ପକେଟରୁ ୧୨୦ଟଙ୍କା ବାହାର କରି ଦେଇଥିଲେ ସଂପୃକ୍ତ ଦୋକାନୀଙ୍କୁ। ଖାଇସାରିବା ପରେ ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭୀଙ୍କୁ ଧରି ଯାଇ ପହଞ୍ଛିଥିଲେ ଏକ ଚା’ ଦୋକାନରେ। ସେଠାରେ ଉଭୟେ ମାଟି କପ୍ରେ ଚା’ ପିଇଥିଲେ। ଚା’ ସାରିବା ପରେ ଉଭୟଙ୍କ ଚା’ ବାବଦରେ ମୋଦି ୪୦ ଟଙ୍କା ପକେଟରୁ ବାହାର କରି ବଢ଼ାଇ ଦେଇଥିଲେ ଚା’ ଦୋକାନୀଙ୍କ ହାତକୁ।